Categories: ଫୁରସତ

ବିଚିତ୍ର ବାହାଘର ଭୋଜି

ସାଧାରଣତଃ ବାହାଘର ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଭାବିଥାନ୍ତି ଯେ, ନାନା ରକମର ସ୍ବାଦିଷ୍ଟ ଖାଦ୍ୟ ତଥା ପାନୀୟର ବ୍ୟବସ୍ଥା ହୋଇଥିବ। ତେଣୁ ଭଲକରି ଗଣ୍ଡେ ଭୁରିଭୋଜନ ମିଳିବ। ହେଲେ ଯଦି ବାସ୍ତବରେ ସେମିତି ହୋଇ ନଥାଏ, ତା’ହେଲେ କେମିତି ଲାଗିବ ଆପଣଙ୍କୁ? ଏଠାରେ ସେମିତି ଗୋଟେ ବିଚିତ୍ର ଘଟଣାର ଅବତାରଣା କରାଯାଉଛି। ଘଟଣାଟି ଆମେରିକାର। ଗୋଟିଏ ବାହାଘର ଭୋଜିକୁ ନିମନ୍ତ୍ରିତ ହୋଇ ଯାଇଥିବା ଅତିଥିମାନେ ଦେଖିବାକୁ ପାଇଥିଲେ ଯେ, ସେଠାରେ କେବଳ ପ୍ରସ୍ତୁତ ହୋଇଛି ଗାଜର, ଖଣ୍ଡ ଖଣ୍ଡ କଟାଯାଇଥିବା କମଳା, ଅମୃତଭଣ୍ଡା ଇତ୍ୟାଦି। ତେବେ ସବୁଠୁ ବିସ୍ମୟକର ଥିଲା ପନିର ରଖାଯାଇଥିବା ସ୍ଥାନଟି। ସେଠାରେ ସତସତିକା ପନିର ବଦଳରେ ଥୁଆ ହୋଇଥିଲା ପ୍ଲାଷ୍ଟିକ୍‌ରେ ତିଆରି ପନିର। ଅବଶ୍ୟ ସେସବୁ ସତସତିକା ପନିର ଭଳି ଦେଖାଯାଉଥିଲା। ଏ ସବୁ ଦେଖିବା ପରେ ନିମନ୍ତ୍ରିତ ଅତିଥିମାନଙ୍କର ହୋସ୍‌ ଉଡ଼ିଯାଇଥିଲା। ତେବେ କେତେକେ ଅତି ଗୋପନୀୟତାର ସହିତ ମୋବାଇଲ୍‌ରେ ସେସବୁ ଭୋଜି ଆଇଟମ୍‌ର ଫଟୋ ଓ ଭିଡିଓ କରିଆଣିଥିଲେ ଏବଂ ତାହାକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେଇଥିଲେ। ତା’ପରେ ଯାଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରିଥିବା ଜଣେ ନିମନ୍ତ୍ରିତ ଅତିଥି ଫଟୋର ଶିରୋନାମା ରଖିଥିଲେ: ସ୍ବାଦିଷ୍ଟ ଭୋଜି, କେବଳ ଆଖିରେ ଦେଖିବା ପାଇଁ!

Share