ବିଚ୍ଛିନ୍ନ ହୋଇ ରହିଛି ହିରିମୂଳ ଗାଁ: ଦାଣ୍ଡରେ ଦେଢ ଫୁଟ ପାଣି, ପିଲାଙ୍କ ପାଠପଢ଼ାରେ ଡୋରି

ଖୋର୍ଦ୍ଧା ଅଫିସ,୧୮।୮: ବନ୍ୟାଜଳ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ଆସୁଛି। ତେବେ ଓରବରସିଂ ପଞ୍ଚାୟତର ହିରିମୂଳ ଗାଁ ବିଚ୍ଛିନ୍ନ ହୋଇରହିଛି। ଗାଁ ଦାଣ୍ଡରେ ଦେଢ ଫୁଟ ପାଣି ଜମିିଛି। ଚତୁଃଦିଗ ଜମି ଓ ରାସ୍ତା ଉପରେ ୪ରୁ ୭ ଫୁଟ ପାଣି ଏବେବି ରହିଛି। ପ୍ରଶାସନ ପକ୍ଷରୁ ଗାଁକୁ ୨ଟି ଡଙ୍ଗା ଦିଆଯାଇଛି। ଡଙ୍ଗାରେ ସ୍ଥାନୀୟ ଲୋକ ପାର ହେଉଛନ୍ତି। ଗୃହପାଳିତ ପ୍ରାଣୀମାନେ ଘରେ ବନ୍ଧା ହୋଇ ରହିଛନ୍ତି। ଚାରଣ ଭୂମିରେ ଜଳ ମାଡି ରହିଥିବାରୁ ସେମାନଙ୍କ ଖାଦ୍ୟ ମୁଖ୍ୟ ସମସ୍ୟା ହୋଇଛି। ଅନ୍ୟପକ୍ଷେ ଓରବରସିଂର ଡିହଖଳା ଗାଁର ରାସ୍ତା ଉପରେ ସ୍ଥାନେ ସ୍ଥାନେ ପାଣି ଚାଲିଛି। ମୋଟାମୋଟି ଭାବେ ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦ, ଲେଖନପୁର, କୃଷ୍ଣପୁର ଗାଁର ଚତୁଃଦିଗରେ ପାଣି ଘେରି ରହିଛି। ତେବେ ସଡକପଥରେ ଯାତାୟାତରେ ବାଧକ ନାହିଁ। ଗତ ରାତିରେ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର ୧୩ ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଥିଲା। ଓରବରସିଂ ପଞ୍ଚାୟତରେ ସ୍କୁଲଗୁଡିକ ଚାରିପାଖରେ ପାଣି ଜମା ହୋଇ ରହିଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇରହିଛି।

ରନ୍ଧାଖାଦ୍ୟ ଦେବାରେ ୧୦ ଗାଁକୁ ଅଣଦେଖା କାହିଁକି

ଖୋର୍ଦ୍ଧା ବ୍ଲକର ଓରବରସିଂ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, ତେନ୍ତୁଳିମୂଳ, ରାୟପୁର, ବାଲିକୁଦ, ଲେଖନପୁର, କୃଷ୍ଣପୁର ଆଦି ୧୦ ଗଁା ଓ ନରଣଗଡ ପଞ୍ଚାୟତର ଓରିମି, ମାନପୁର ଓ ଧବଳପୁର ଗଁାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ତେବେ ହିରିମୂଳ ଗଁା ଅଧିକ ପ୍ରଭାବିତ ହୋଇଛି। ଏଭଳିସ୍ଥଳେ କେବଳ ହିରିମୂଳ, ଡିହଖଳା, ଦୁର୍ଗାପୁରରେ ରନ୍ଧା ଖାଦ୍ୟ ଶନିବାର ମଧ୍ୟାହ୍ନ ଓ ରାତିରେ ଯୋଗାଣ ହୋଇଛି। ଅନ୍ୟ ଗାଁଗୁଡିକୁ ଅଣଦେଖା କରାଯାଇଥିବାରୁ ବାନ୍ୟା ବିପନ୍ନମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ପାଦ ପଡ଼ିଲାନି ରାଜନେତା, ପ୍ରଶାସନିକ ଅଧିକାରୀଙ୍କର
୨୦୧୯ରେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିଲା। ଏଣୁ ୨୦୧୮ ଜୁଲାଇରେ ହୋଇଥିବା ବନ୍ୟାରେ ଓରବରସିଂହ ଓ ନରଣଗଡ ପଞ୍ଚାୟତର ବିଭିନ୍ନ ଗଁାକୁ ଆଶାୟୀ ବିଧାୟକ ପ୍ରାର୍ଥୀମାନେ ଦୌଡିଥିଲେ। ସେହିପରି ଆଞ୍ଚଳିକ ନେତା ଓ ଜିଲାସ୍ତରୀୟ ନେତା, ଆଗଧାଡି କର୍ମୀମାନେ ମଧ୍ୟ ହାତଛଡା କରି ନ ଥିଲେ। ଏବେ ମୁଣ୍ଡ ଉପରେ ନିର୍ବାଚନ ନ ଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ସମୟରେ ଶାସକ ଓ ବିରୋଧୀ ଦଳର ନେତାମାନଙ୍କର ପାଦ ପଡିଲାନି। ଭୋଟ ପାଇଗଲା ପରେ ରାଜନେତା ଭୁଲିଗଲେ। ସେହିଭଳି ବିଡିଓ, ଜିଲାପାଳ, ଉପଜିଲାପାଳ, ଅତିରିକ୍ତ ଜିଳାପାଳଙ୍କ ପାଦ ପଡି ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଦୁଇ ରାସ୍ତାରେ ଘାଇ
ଭାରତ ଗ୍ୟାସ ଡିପୋ ପାଖରେ ବନ୍ୟାଜଳ ଓରବରସିଂ କହ୍ନେଇମୁହଁ ରାସ୍ତାରେ ୧୦୦ ଫୁଟରେ ଘାଇ ସୃଷ୍ଟି କରିଛି। ସେହିପରି ଓରବରସିଂ ଗାଁକୁ ପଡିଥିବା ହାଇସ୍କୁଲ ରାସ୍ତାରେ ୧୦ ଫୁଟର ଅନ୍ୟ ଏକ ଘାଇ ସୃଷ୍ଟି କରିଛି। ଯାହାକି ଯୋଗାଯୋଗ ବିଚ୍ଛିନ୍ନ କରିଛି। ଏହି ଘାଇ ସ୍ଥାନରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।