Advertisement

ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ଅନୁଗୋଳ ଅଫିସ, ୨୬।୪- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଗୁରୁବାର ଠାରୁ ଆରମ୍ଭ ହୋଇଛି। ତେବେ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ରହିଥିବା ମୂଲ୍ୟାୟନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକମାନେ ଅଭିଯୋଗ କରିଛନ୍ତି। ଏପରି କି ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍‌ ହେଉଥିବାରୁ ସମସ୍ୟା ଉପୁଜୁଥିବା ସେମାନେ କହିଛନ୍ତି।
ଅନୁଗୋଳରେ ଗୁରୁବାର ପାରଦ ୪୦.୧ ଡିଗ୍ରୀ ଥିଲା। ଏଥିସହ ଗୁଳୁଗୁଳିରେ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ୁଥିଲେ। ଏହି ସମୟରେ ମହାବିଦ୍ୟାଳୟରୁ ବିଜୁଳି କଟି ଯାଇଥିଲା। ଫଳରେ ମୂଲ୍ୟାୟନ କରୁଥିବା ଅଧ୍ୟାପିକା ଓ ଅଧ୍ୟାପକମାନେ ଖାତା ଦେଖା କାର୍ଯ୍ୟ ବନ୍ଦ କରିଦେଇଥିଲେ। ଏପରି କି ମୂଲ୍ୟାୟନ କେନ୍ଦ୍ରର ଡେପୁଟି ଜୋନ୍‌ ସୁପରଭାଇଜରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ହୋ ହଲ୍ଲା କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ନ ଦେଲେ ମୂଲ୍ୟାୟନ କାର୍ଯ୍ୟ ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଥିଲେ। ତେବେ ଜୋନ୍‌ ସୁପରଭାଇଜର ସମସ୍ୟା ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅଧ୍ୟାପିକା ଓ ଅଧ୍ୟାପକମାନେ ଶାନ୍ତ ହୋଇଥିଲେ। ଏ ନେଇ ଜୋନାଲ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜକିଶୋର ବେହେରା କହିଛନ୍ତି, ଅଫ୍‌ ଲାଇନ ମୂଲ୍ୟାୟନ କେନ୍ଦ୍ରରେ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଆମ ହାତରେ କିଛି ନାହିଁ। ବିଜୁଳି ଯେତିକି ସମୟ ରହିବ ସେଥିରେ ମୂଲ୍ୟାୟନ କରିବା ପାଇଁ ପଡ଼ିବ। କିନ୍ତୁ ମହାବିଦ୍ୟାଳୟରେ ମୂଲ୍ୟାୟନ କେନ୍ଦ୍ର ପ୍ରତି ବର୍ଷ ହେଉଥିବାରୁ ଅଧ୍ୟକ୍ଷଙ୍କୁ କେନ୍ଦ୍ର ଗୁଡ଼ିକରେ ବିଦ୍ୟୁତ୍‌ ଚାଲିଗଲେ ତୁରନ୍ତ ଜେନେରେଟର ଓ ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲୁ। କିନ୍ତୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଅନ୍ୟପକ୍ଷରେ ଅନ୍‌ଲାଇନ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଦିଆଯାଉଥିବାବେଳେ ଅଫ୍‌ଲାଇନ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ଏପରି ବ୍ୟବସ୍ଥା କରାଯାଉ ନ ଥିବାରୁ ଅଧ୍ୟାପିକା ଓ ଅଧ୍ୟାପକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share