ବିଜୁଳି ସଙ୍କଟରେ ଓଡ଼ିଶା

ଅନିଲ ବିଶ୍ୱାଳ
ରାଜ୍ୟ ସରକାର ସେସୁର ଘରୋଇକରଣ କରିବା ପାଇଁ ଯାଉଛନ୍ତି। ବିଜୁଳି ବିରତଣ ନେଇ ଏକ ଘରୋଇ କମ୍ପାନୀ ସହିତ ରାଜ୍ୟ ସରକାରଙ୍କର ବୁଝାମଣା ଚୂଡାନ୍ତ ହୋଇଛି। ବିଜୁଳି ବ୍ୟବସ୍ଥା ପରିଚାଳନାରେ ଘରୋଇକରଣ କିଛି ନୂଆକଥା ନୁହେଁ। ହେଲେ ଯେଉଁ ସାଧାରଣ ଖାଉଟିମାନେ ବିଜୁଳି ବିଲ୍‌ ଦେଇନାହାନ୍ତି ସେମାନଙ୍କର ଲାଇନ କାଟିଦିଆଯିବ ବୋଲି ସେସୁ କର୍ତ୍ତୃପକ୍ଷଙ୍କର ନିଷ୍ପତ୍ତି ଏବେ ବିତର୍କ ସୃଷ୍ଟି କରିଛି। ଯାହାର ବିଜୁଳି ବିଲ୍‌ ବାକି ଅଛି ସେ ବିଜୁଳି ବିଲ୍‌ ଦେବା ପାଇଁ ବାଧ୍ୟ ଏଥିରେ କିଛି ଅସଙ୍ଗତ କଥା ନାହିଁ। ହେଲେ ଏହି ନିୟମ କେବଳ ସାଧାରଣ ଖାଉଟିଙ୍କ ପାଇଁ କାହିଁକି? ରାଜ୍ୟରେ ବିଭିନ୍ନ ଶିଳ୍ପକାରଖାନା ଉପରେ ୭ ହଜାର କୋଟିରୁ ଅଧିକ ଟଙ୍କାର ବିଜୁଳି ବିଲ୍‌ ବାକି ପଡିଛି। ସେମାନଙ୍କ ପାଇଁ ସରକାର ଏହି ନିୟମ ଲାଗୁକରିପାରିବେ କି? ଏହି ବକେୟା ବିଜୁଳି ବିଲ୍‌କୁ ନେଇ ସେହି କଳକାରଖାନାଗୁଡ଼ିକ ଅଦାଲତରେ ସରକାରଙ୍କ ବିରୋଧରେ ମାମଲା କରିଛନ୍ତି। ସରକାର ସେହି ମାମଲାକୁ କିପରି ପରିଚାଳନା କରୁଛନ୍ତି ତାହା ଦେଖିବାର କଥା। ଅତୀତରେ ବହୁତ ଥର ଦେଖାଯାଇଛି ଯେ କିପରି ଅଦାଲତରେ ଠିକ୍‌ ମାମଲା ପରିଚାଳନା ଅଭାବରୁ ସରକାର କ୍ଷତି ସହିଛନ୍ତି। ଆଇନର ଗଳାବାଟରେ ସେହି କଳକାରଖାନାଗୁଡ଼ିକ ଖସିଯିବେନି ତ? ଆଉ ଗୋଟିଏ କଥା ହେଉଛି ସେସୁର ଯେଉଁ ବିଜୁଳି ବିଲ୍‌ ସାଧାରଣ ଖାଉଟିମାନଙ୍କ ଉପରେ ବାକି ପଡିଛି ତାହା ଗୋଟିଏ ଦିନରେ କି ଗୋଟିଏ ମାସରେ ହୋଇନାହିଁ। ତାହା ଏକ ଲମ୍ବା ସମୟର ବକେୟା। ସେସୁ କର୍ତ୍ତୃପକ୍ଷ କାହିଁକି ଯେଉଁ ମାସର ବିଜୁଳି ବିଲ୍‌ ସେହି ମାସରେ ଆଦାୟ କରିପାରିଲେ ନାହିଁ ତାହା ଉପରେ ବି ପ୍ରଶ୍ନ ଉଠିବା ସ୍ବାଭାବିକ। ଶିକ୍ଷା, ସ୍ବାସ୍ଥ୍ୟ ଓ ପାଣି ଭଳି ବିଜୁଳି ବି ଆଜିର ଦିନରେ ଏକ ନିତ୍ୟବ୍ୟବହାର୍ଯ୍ୟ ଆବଶ୍ୟକତା। ଏକ ସମାଜମଙ୍ଗଳ ରାଷ୍ଟ୍ରରେ ସରକାରଙ୍କର ଦାୟିତ୍ୱ ହେଉଛି ବିଜୁଳି ଯୋଗାଇବା ଓ ସେଥିପାଇଁ ଧାର୍ଯ୍ୟ ଶୁଳ୍କ ବି ଆଦାୟ କରିବା। ପଇସା ପାଇଁ ବିଜୁଳି କାଟିବା ଠିକ୍‌ ନୁହେଁ। ବିଦ୍ୟୁତ୍‌ ବଣ୍ଟନକାରୀ କମ୍ପାନୀଗୁଡ଼ିକୁ ବିଶ୍ୱବ୍ୟାଙ୍କ ଓ ଅନ୍ୟ ସୂତ୍ରରୁ ୫,୩୭୭ କୋଟି ଟଙ୍କାର ଋଣ ଦେବାର ବ୍ୟବସ୍ଥା ସରକାର କରିଥିଲେ। ସେହି ପଇସା ବୁଡିଗଲା। ଯେଉଁମାନେ ଋଣ ନେଇଥିଲେ ସେମାନଙ୍କ ସହିତ ହୋଇଥିବା ଚୁକ୍ତି ରଦ୍ଦ ହୋଇସାରିଲାଣି। ଏବେ ଯେଉଁ ନୂଆ କମ୍ପାନୀଗୁଡ଼ିକ ବିଜୁଳି ଯୋଗାଇବା ପାଇଁ ଆଗେଇ ଆସିଛନ୍ତି, ସେମାନେ ସେହି ଋଣ ଶୁଝିବାରେ ଭାଗୀଦାର ହେବେ ନାହିଁ ବୋଲି ସ୍ପଷ୍ଟ କରିସାରିଲେଣି। ଶେଷରେ ସେହି ଋଣ ସାଧାରଣ ଲୋକଙ୍କ ଟିକସରୁ ହିଁ ଶୁଝାଯିବ।
ଓଡ଼ିଶା ଏକ ବିଜୁଳି-ବଳକା ରାଜ୍ୟ ବୋଲି ଆମେ ଡିଣ୍ଡିମ ପିଟୁଛେ। କିନ୍ତୁ ବାସ୍ତବରେ ଆମେ ଘୋର ବିଜୁଳି ନିଅଣ୍ଟ ଦେଇ ଗତି କରୁଛେ। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ, ଖରାଦିନେ ପିକ୍‌ ଆୱାରରେ ରାଜ୍ୟର ସର୍ବୋଚ୍ଚ ବିଜୁଳି ଚାହିଦା ଦୈନିକ ୪,୧୦୦ ମେଗାୱାଟ୍‌। କିନ୍ତୁ ସେତିକିବେଳେ ରାଜ୍ୟରେ ବିଜୁଳି ଉପଲବ୍ଧ ହେଉଥିଲା ଦୈନିକ ୩,୩୫୦ ମେଗାୱାଟ୍‌। ଏଥିରୁ କେବଳ ୨,୩୫୦ ମେଗାୱାଟ୍‌ ବିଜୁଳି ରାଜ୍ୟ ଭିତରେ ଉପତ୍ାଦନ ହେଉଥିଲା। ବଳକା ୧,୦୦୦ ମେଗାୱାଟ୍‌କୁ ରାଜ୍ୟ ବାହାରୁ ବିଭିନ୍ନ ଉତ୍ସରୁ ଆମଦାନି କରାଯାଉଥିଲା। ତେଣୁ ପିକ୍‌ ଆୱାରରେ ଓଡ଼ିଶା ଏବେ ୭୫୦ ମେଗାୱାଟ୍‌ ବିଜୁଳି ନିଅଣ୍ଟର ସମ୍ମୁଖୀନ ହେଉଛି, ଏକଥା ସରକାର ମାନିସାରିଲେଣି। ଆଉ ଗୋଟିଏ କଥା ହେଉଛି, ଏବେ ରାଜ୍ୟରେ ସବୁ ପରିବାରକୁ ବିଜୁଳି ମିଳିନାହିଁ। ରାଜ୍ୟର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ପାହାଡିଆ ଜିଲାଗୁଡ଼ିକରେ ଥିବା ଅନେକ ପଡା ଗାଁକୁ ବିଜୁଳି ଖୁଣ୍ଟ ପଡିନି। ଯେବେ ସବୁ ପଡା ଗାଁ ଓ ସବୁ ପରିବାରକୁ ବିଜୁଳି ସଂଯୋଗ ଦିଆଯିବ, ସେତେବେଳେ ବିଜୁଳି ଚାହିଦା ବଢିଯିବ। ସେ ବର୍ଦ୍ଧିତ ଚାହିଦା କିପରି ପୂରଣ ହେବ ତାହା ଚିନ୍ତାଜନକ। ମେକ୍‌ ଇନ୍‌ ଓଡିଶାରେ ଯେଉଁ ଶିଳ୍ପ କାରଖାନାମାନ ଆସୁଛନ୍ତି ବା ଆସିବେ ସେମାନଙ୍କ ଆବଶ୍ୟକତା କେମିତି ମେଣ୍ଟିବ ତାହା ବି ଦେଖିବା ଆବଶ୍ୟକ।
ରାଜ୍ୟ ସରକାର ଗରିବଙ୍କୁ ଶସ୍ତାରେ ବିଜୁଳି ଦେବା କଥା ବିଜ୍ଞାପନରେ କହୁଛନ୍ତି। ହେଲେ ବାସ୍ତବରେ ଏହା କେତେ ସତ। ଗରିବ ଲୋକଙ୍କ ପାଇଁ ମାସକୁ ୩୦ ୟୁନିଟ ପର୍ଯ୍ୟନ୍ତ ରାଜ୍ୟ ସରକାର ୮୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି। ଅର୍ଥାତ୍‌ ଯାହାର ବ୍ୟବହାର ମାସିକ ୩୦ ୟୁନିଟ୍‌ରୁ କମ୍‌ ସେମାନେ ୟୁନିଟ୍‌ ପିଛା ୨ଟଙ୍କା ୬୭ ପଇସା ଦେବେ। ଆନ୍ଧ୍ର ପ୍ରଦେଶରେ ଏହା ହେଉଛି ୧ ଟଙ୍କା ୪୫ ପଇସା। ସେହିପରି ଜଣେ ଖାଉଟି ଯଦି ମାସକୁ କୌଣସି କାରଣବଶତଃ ୩୦ ୟୁନିଟ୍‌ରୁ ଅଧିକ ହୋଇଯାଏ, ତା’ହେଲେ ଏହି ଦର ବଢି ୩ ଟଙ୍କା ୭୮ ପଇସା ହୋଇଯାଉଛି। ସେ ଆଉ ଗରିବ ନୁହେଁ। ମାସକୁ ୩୦ ୟୁନିଟ୍‌ର ଅର୍ଥ କେବଳ ଗୋଟିଏ ସିଏଫ୍‌ଏଲ ବଲ୍‌ ଜାଳିବା। ଯଦି ଦୁଇଟା ବଲ୍‌ ଜଳିଲା ତା’ହେଲେ ସେ ସରକାରଙ୍କ ଶସ୍ତା ବିଜୁଳିରୁ ବଞ୍ଚିତ। ଓଡିଶାରେ ଏବେ ହାରାହାରି ୧୯ ଘଣ୍ଟାର ବିଜୁଳି ମିଳୁଛି। ହୁଏତ ଭୁବନେଶ୍ୱର ଓ କଟକରେ ରହୁଥିବା ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ହେଉଛି ବାସ୍ତବତା। ୨୪ ଘଣ୍ଟିଆ ବିଜୁଳି ପାଇଁ ଆବଶ୍ୟକ ଭିତ୍ତିଭୂମି ଓଡିଶାରେ ନାହିଁ। ଓଡିଶାରେ ୪୦୦ କେଭି ପାଓ୍ବାରଷ୍ଟେଶନ୍‌ ସଂଖ୍ୟା ମାତ୍ର ୨ଟି ଥିବାବେଳେ ଏହି ସଂଖ୍ୟା ଗୁଜରାଟରେ ୧୭ ଓ ତେଲଙ୍ଗାନାରେ ୧୧। ୨୪ ଘଣ୍ଟା ବିଜୁଳି ଯୋଗାଇବାକୁ ହେଲେ ୪୦୦ କେଭି ପାଓ୍ବାରଷ୍ଟେଶନ ସଂଖ୍ୟା ବଢାଇବାକୁ ପଡିବ। ଚାଷୀର ଅର୍ଥନୀତିକୁ ମଜଭୁତ କରିବା ପାଇଁ କୃଷିଭିତ୍ତିକ ଶିଳ୍ପର ବିକାଶ ଜରୁରୀ। ହେଲେ ଓଡିଶାରେ ଶୀତଳ ଭଣ୍ଡାର ଓ କୃଷି ପ୍ରକ୍ରିୟାକରଣ ଶିଳ୍ପ ପାଇଁ ମଧ୍ୟ ବିଜୁଳି ମୂଲ୍ୟରେ ରିହାତି ନାହିଁ।
୧୯୯୮ରେ ରାଜ୍ୟ ସରକାର ବିଦ୍ୟୁତ୍‌ ବିଭାଗକୁ ଘରୋଇକରଣ କରିଥିଲେ। ୪ଟି ବିଦ୍ୟୁତ୍‌ ଯୋଗାଣ ସଂସ୍ଥାରୁ ୩ଟି ସଂସ୍ଥାକୁ ବିଏସ୍‌ଇଏସ୍‌ ନେବା ବେଳେ ୧ଟି ସଂସ୍ଥାକୁ ଆମେରିକାନ୍‌ କମ୍ପାନୀ ଏଇଏସ୍‌କୁ ଦିଆଯାଇଥିଲା। ଏହା ଫଳପ୍ରଦ ହେଲାନାହିଁ। ୨୦୦୫ରେ କୌଣସି କମ୍ପାନୀ ଓଡିଶାରେ ବିଦ୍ୟୁତ୍‌ ବିତରଣ କରିବା ପାଇଁ ରାଜି ନ ହେବାରୁ ରାଜ୍ୟ ସରକାର ୨ୟ ଥର ପାଇଁ ବିଦ୍ୟୁତ୍‌ ବିଭାଗକୁ ଘରୋଇକରଣ କରିବା ପାଇଁ ଚେଷ୍ଟା କରିଥିଲେ। ତାହାବି ବିଫଳ ହୋଇଥିଲା। ୨୦୧୬ରେ ପୁଣି ୩ୟ ଥର ପାଇଁ ଘରୋଇକରଣ କରିବାର ସରକାର ଚେଷ୍ଟା କରିଛନ୍ତି। ବିଦ୍ୟୁତ୍‌ ବିଭାଗରେ ସୁଧାର ଆଣିବା ପାଇଁ ୨୦୦୨ ମସିହାରେ ଶୋଭନ କାନୁନ୍‌ଗୋ ଏକ ରିପୋର୍ଟ ଦେଇଥିଲେ, ଯାହାକୁ ରାଜ୍ୟ ସରକାର ଲାଗୁ କରିପାରିଲେ ନାହିଁ। ସେହିପରି ଏଇଏସ୍‌ ଉପରେ ଥିବା ୪୦୦ କୋଟି ଟଙ୍କା ବକେୟା ରାଶି ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆଦାୟ କରିପାରିଲେ ନାହିଁ। ବିଦ୍ୟୁତ୍‌ ଯୋଗାଣରେ ବିଫଳ ହୋଇଥିବା ବିଏସଇଏସ୍‌ର ଲାଇସେନ୍ସ ରଦ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ୧୦ ବର୍ଷ ଲାଗିଥିଲା। ଓଡିଶାର ଏଟି ଏଣ୍ଡ୍‌ ସି ଲସ୍‌ (ଏଗ୍ରିଗ୍ରେଟ ଟେକ୍‌ନିକାଲ ଆଣ୍ଡ କମର୍ସିଆଲ ଲସ୍‌) ହେଉଛି ସବୁଠୁ ଅଧିକା। ୨୦୦୦ ମସିହାରେ ପଡୋଶୀ ଆନ୍ଧ୍ରପ୍ରଦେଶର ଏଟି ଏଣ୍ଡ୍‌ ସି ଲସ୍‌ ଥିଲା ୨୭%, ଯାହା ୨୦୧୭-୧୮ରେ କମି ୮.୫%ରେ ରହିଛି। ଦିଲ୍ଲୀରେ ଏହା ୫୨% ଥିବାବେଳେ ୨୦୧୮ରେ ୧୨%ରେ ପହଞ୍ଚିଛି। ଗୁଜରାଟ ୩୧%ରୁ ୧୨.୪%କୁ କମିଛି। ତାମିଲନାଡୁରେ ୪୧%ରୁ କମି ୧୪.୬% ହୋଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆମ ରାଜ୍ୟରେ ୨୦୧୮ରେ ଏଟି ଏଣ୍ଡ୍‌ ସି ଲସ୍‌ ୪୦% ରହୁଛି।
ରାଜ୍ୟରେ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ ଯେଉଁ ହାରରେ ବଢିବା କଥା ବଢିପାରିନାହିଁ। ଏବେ ଗୁଜରାଟର ମୋଟ ପାଓ୍ବାର ଉତ୍ପାଦନ ୧୯,୮୦୦ ମେଗାଓ୍ବାଟ୍‌ ହୋଇଥିବାବେଳେ ଓଡିଶାରେ ଏହା ହେଉଛି ମାତ୍ର ୩୫୦୦ ମେଗାଓ୍ବାଟ୍‌। ଯଦି ଆମେ ବିଗତ ୨୦ ବର୍ଷରେ ଦେଶରେ ଥିବା ବିଦ୍ୟୁତ୍‌ ଉତ୍ପାଦନର ରିପୋର୍ଟକୁ ତୁଳନାତ୍ମକ ଭାବେ ତର୍ଜମା କରିବା, ତା’ହେଲେ ଗୁଜରାଟରେ ନିଜସ୍ବ ତାପଜ ବିଜୁଳି ଉତ୍ପାଦନ ୩୬୦୦ ମେଗାଓ୍ବାଟ୍‌ରୁ ବଢି ୮୦୦୦ ମେଗାଓ୍ବାଟ୍‌ରେ ପହଞ୍ଚିଥିବାବେଳେ ଥିବାବେଳେ ଓଡିଶାରେ ଏହା ଯେଉଁ ୪୨୦ ମେଗାଓ୍ବାଟ୍‌ରେ ଥିଲା, ତାହା ଆଜିବି ସେତିକିରେ ରହିଛି। ତାପଜ ବିଦ୍ୟୁତ୍‌ ଉପତ୍ାଦନ ପାଇଁ ୨୭ ଗୋଟି ଇଣ୍ଡିପେଣ୍ଡେଣ୍ଟ ପାଓ୍ବାର ପ୍ରୋଜେକ୍ଟ ସ୍ଥାପନ ପାଇଁ ସରକାର ବିଗତ ବର୍ଷଗୁଡ଼ିକରେ ଏମ୍‌ଓୟୁ କରିଥିବା ବେଳେ ସେଥିରୁ ମାତ୍ର ଚାରିଟି କାର୍ଯ୍ୟକ୍ଷମ ହୋଇପାରିଲା। ୨୦ଟିର କାମ ଆରମ୍ଭ ହୋଇପାରିଲା ନାହିଁ। ଆମ କୋଇଲାରେ ଆନ୍ଧ୍ରପ୍ରଦେଶ ଆଉ ଗୁଜରାଟ ଭଳି ରାଜ୍ୟରେ ବିଜୁଳି ଉତ୍ପାଦନ ହେବ। ଅମାପ କୋଇଲା ସମ୍ପଦ ଥିବା ସତ୍ତ୍ୱେ ଆମେ ନିଜସ୍ବ ତାପଜ ବିଦ୍ୟୁତ୍‌ ଉତ୍ପାଦନରେ ପଛୁଆ କାହିଁକି?
ଚାଲୁଥିବା ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡିକର ଉପତ୍ାଦନ କ୍ଷମତା ବି ଦିନକୁ ଦିନ କମୁଛି। ଜଳଭଣ୍ଡାରଗୁଡିକ ପୋତିହେବା ସ୍ବାଭାବିକ ଓ ଜଳଧାରଣ କ୍ଷମତା ବି କମିବ। ହୀରାକୁଦରୁ ୧୯୯୮ରେ ୯୨୬ ଏମ୍‌ୟୁ ବିଜୁଳି ଉତ୍ପାଦନ ହେଉଥିଲା। ଏହା ବିଗତ ଶେଷ ୫ ବର୍ଷରେ ୬୦୦ ଛୁଇଁପାରୁନାହିଁ। ବଢୁଥିବା ଚାହିଦାକୁ ପୂରଣ କରିବାକୁ ହେଲେ ଆମକୁ ଆହୁରି ଜଳବିଦ୍ୟୁତ୍‌ କେନ୍ଦ୍ର ସ୍ଥାପନର ଆବଶ୍ୟକତା ଅଛି। ବିଗତ ବର୍ଷଗୁଡ଼ିକରେ କୌଣସି ବୃହତ୍‌ ଜଳବିଦ୍ୟୁତ୍‌ ଉପତ୍ାଦନ ପ୍ରକଳ୍ପ ସ୍ଥାପିତ ହୋଇନାହିଁ। ବେସରକାରୀ ଭାବେ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ୨୯ଟି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ସେଥି ମଧ୍ୟରୁ ମାତ୍ର ତିନୋଟି କାର୍ଯ୍ୟକ୍ଷମ ହୋଇ ମାତ୍ର ୫୭ ମେଗାଓ୍ବାଟ୍‌ ବିଜୁଳି ଉପତ୍ାଦନ ହେଉଛି। ସୌର ଶକ୍ତି ଉତ୍ପାଦନରେ ବି ଆମେ ପଛୁଆ। ଆମ ପାଖରେ ଜଳସମ୍ପଦ, କୋଇଲା, ସୂର୍ଯ୍ୟ ଶକ୍ତି, ପବନ ଶକ୍ତି ସବୁ ବ୍ୟାପକ ମାତ୍ରାରେ ଅଛି। ଏବେଠୁ ସୁବିନିଯୋଗର ଚିନ୍ତା କରିବାର ଆବଶ୍ୟକତା ଅଛି। ନ ହେଲେ ଭବିଷ୍ୟତରେ ବିଜୁଳି ପାଇଁ ଆଉ କାହାକୁ ହାତ ପାତିବାକୁ ପଡିବ।
ହରିରାଜପୁର, ପୁରୀ, ମୋ- ୮୨୪୯୮୬୮୯୬୧