Categories: ମେଟ୍ରୋ

ବିଜୁ ଜୟନ୍ତୀରେ ମିନି ମାରାଥନ

ଭୁବନେଶ୍ୱର,୫।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଗୁରୁବାର ଜୟନ୍ତୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ସକାଳେ ଭୁବନେଶ୍ୱରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ବିଜୁଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ଏହି ମାରାଥନ ବିଜୁ ପଟ୍ଟନାୟକ ପାର୍କଠାରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ କ୍ରୀଡ଼ା ସଚିବ ବିଶାଲ ଦେବ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଗଣଦୌଡ଼ ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରେ ଏକ ସଭାର ଆୟୋଜନ ହୋଇଥିଲା। ଏହି ମାରାଥନରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ। ବିଶେଷକରି ଅନେକ ଦିବ୍ୟାଙ୍ଗଙ୍କୁ ଏଥିରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।

ପ୍ରକାଶ ଯେ, ବିଜୁଙ୍କ ଜନ୍ମଦିବସ ଉପଲକ୍ଷେ ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ସହ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏଥିସହ ଗୁରୁବାରଠାରୁ ୨ ସପ୍ତାହ ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ପକ୍କାଘର ପାଇ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ଜୟନ୍ତୀ ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ପାଳନ କରାଯିବାକୁ ବିଜେଡି ନିଷ୍ପତ୍ତି ନେଇଛି।

Share