Categories: ଖେଳ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର: ପ୍ରମୋଦ ଶ୍ରେଷ୍ଠ କ୍ରୀଡ଼ାବିତ୍‌

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ପାରା ଆଥଲେଟ୍‌ ପ୍ରମୋଦ ଭଗତ ୨୦୧୮ ମସିହା ପାଇଁ ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ମଙ୍ଗଳବାର ପୁରସ୍କାର ପାଇଁ କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆ ଯାଇଛି। ମିଳିଥିବା ସୂଚନା ଅନୁସାରେ ୨୦୧୮ ବର୍ଷ ପାଇଁ ଲାଇଫ ଟାଇମ୍‌ ଆଚିଭ୍‌ଭେଣ୍ଟ ପୁରସ୍କାର କାହାରିକୁ ଦିଆଯିବ ନାହିଁ। ଏହି ପୁରସ୍କାର ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେହି ଯୋଗ୍ୟ ବିବେଚିତ ହୋଇ ନାହାନ୍ତି। ଶ୍ରେଷ୍ଠ କୋଚ୍‌ ପାଇଁ ୫-୬ ଜଣ ଆବେଦନ କରିଥିଲେ ମଧ୍ୟ କେହି ମାନଦଣ୍ଡ ପୁରଣ କରିପାରି ନାହାନ୍ତି। ତେଣୁ ଏହି ପୁରସ୍କାର ମଧ୍ୟ ଏଥର ଦିଆ ଯିବନାହିଁ। ବେଷ୍ଟ କଣ୍ଟ୍ରିବ୍ୟୁଶନ ଟୁ ପ୍ରମୋଶନ ସ୍ପୋଟର୍‌ସ ଆଣ୍ଡ ଗେମ୍ସ ପାଇଁ କିଟ୍‌କୁ ସମ୍ମାନିତ କରାଯିବ। ସେହିପରି ଏକ୍ସିଲେନ୍ସ ଇନ୍‌ ସ୍ପୋଟର୍‌ସ ଜର୍ନାଲିଜମ୍‌ ପୁରସ୍କାର ପାଇଁ ମଧ୍ୟ ଏଥର କେହି ଯୋଗ୍ୟ ବିବେଚିତ ହୋଇପାରି ନାହାନ୍ତି। ତେଣୁ ଏଥର ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର କେବଳ ୨ଟି ବିଭାଗରେ ସୀମିତ ରହିବା ନିଶ୍ଚିତ ହୋଇଛି। ପ୍ରକାଶ ଯୋଗ୍ୟ ଯେ ଗତ ୨ ବର୍ଷ ମଧ୍ୟରେ ପ୍ରମୋଦ ଭଗତ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରାଜ୍ୟକୁ ଗର୍ବିତ କରିଛନ୍ତି। ଦେଶ ପାଇଁ ପାରା ଅଲିମ୍ପିକ୍ସ ପଦକ ଜିତବାର ଦକ୍ଷତା ମଧ୍ୟ ସେ ରଖିଛନ୍ତି। ରାଜ୍ୟରେ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନ ଓ ସ୍ବୀକୃତି ଦେବା ଲକ୍ଷ୍ୟରେ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ୨୦୦୧ ମସିହାରୁ ପ୍ରଚଳିତ ହୋଇ ଆସୁଛି। ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାରଭାବେ ଏହା ବିବେଚିତ ହେଉଥିବାବେଳେ ଏଥର ଏକାଧିକ ବିଭାଗ ପାଇଁ କେହି ଯୋଗ୍ୟ ବିବେଚିତ ନ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share