Categories: ଖେଳ

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌: ଫୁଟବଲ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲରେ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ ହୋଇଛି। ୟୁନିଟ-୬ ହାଇସ୍କୁଲ ପଡ଼ିଆରେ ରବିବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଫୁଲବାଣୀ ଦଳ ଟାଇବ୍ରେକର ୬-୫ ଗୋଲରେ ନୟାଗଡ଼ ସ୍ପୋଟର୍‌ସ ହଷ୍ଟେଲକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳ ୧-୧ ଗୋଲରେ ବରାବର ରହିବାରୁ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ନୟାଗଡ଼ର ସୁରଜ ମିଞ୍ଜ ୫୪ ଓ ଫୁଲବାଣୀର ସୁଜିତ ବାର୍ଲା ୬୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଦିଲୀପ କୁମାର ସାମନ୍ତରାୟ, ସୌର୍ଯ୍ୟରଞ୍ଜନ ପରିଜା, ଭକ୍ତବଲ୍ଲଭ ଦାସ, ଅନଙ୍ଗ ଦ୍ୱିବେଦୀ, ଗିରିଧାରୀ ଲାଲ ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଆସୋସିଏଶନ ସଭାପତି ତପନ ମହାନ୍ତି ଏବଂ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ମାନସ ସାମଲ ଉପସ୍ଥିତ ଥିଲେ। ନୟାଗଡ଼ ସ୍ପୋଟର୍‌ସ ହଷ୍ଟେଲର ସୁରଜ ମିଞ୍ଜ୍‌ ମ୍ୟାନ ଅଫ ଦି ଫାଇନାଲ, ରବୀନ୍ଦ୍ର ସିଂ ଶ୍ରେଷ୍ଠ ମଧ୍ୟଭାଗ ଖେଳାଳି, ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲର ସଦାନନ୍ଦ କନହାର ଶ୍ରେଷ୍ଠ ଗୋଲକିପର ଏବଂ ନୟାଗଡ଼ର ସୂରଜ ଏବଂ ଫୁଲବାଣୀର ଏ. ଶିବପ୍ରସାଦ ଯୁଗ୍ମଭାବେ ଶ୍ରେଷ୍ଠ ଫରଓ୍ବାର୍ଡ ପୁରସ୍କାର ପାଇଥିଲେ। ଫାଇନାଲର ମଧ୍ୟଭାଗର ଏକ ମହିଳା ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଉର୍ମିଳା ଫୁଟବଲ ଏକାଡେମୀ ୨-୦ ଗୋଲରେ ଘାଟିକିଆର ବଜରଙ୍ଗବାଲୀ ଦଳକୁ ପରାସ୍ତ କରିଥିଲା। ଖେଳ ପରିଚାଳନା କରିଥିଲେ ଚନ୍ଦ୍ରକାନ୍ତ ବାରିକ, ଅମିତ ନାୟକ, ରାଜେନ୍ଦ୍ର ବାରିକ, କିର୍ତ୍ତୀ ସ୍ବାଇଁ। ମହେଶ୍ୱର ସ୍ବାଇଁ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ।

Share