Categories: ଖେଳ

ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଫୁଲବାଣୀ, ବାଲେଶ୍ୱର ସେମିଫାଇନାଲରେ

ଭୁବନେଶ୍ୱର, ୨୭।୧୨(କ୍ରୀଡ଼ା ପ୍ରତିନିଧି)-
ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ମ୍ୟାଚରେ ଫୁଲବାଣୀ ଓ ବାଲେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ ଫୁଲବାଣୀ ଦଳ ୬-୦ ଗୋଲରେ ଓଡ଼ିଶା ୟୁନାଇଟେଡ ଫୁଟବଲ କ୍ଲବକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଚନ୍ଦ୍ରମୋହନ ପୃଷ୍ଟି ୨୯ ଓ ୬୭ତମ ମିନିଟରେ ୨ଟି, ଧନେଶ୍ୱର ବେସରା ୩୫ ଓ ୫୨ତମ ମିନିଟରେ ୨ଟି, ରାଜୀବ ଟପ୍ପୋ ୬୫ ଏବଂ ଅବିନାଶ କିଶାନ ୫୫ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନଙ୍ଗ ଦ୍ୱିବେଦୀ ଅତିଥିଭାବେ ଯୋଗଦେଇ ଧନେଶ୍ୱର ବେସରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ବାଲେଶ୍ୱର ୨-୦ ଗୋଲରେ ନୀତା ଫୁଟବଲ ଏକାଡେମୀକୁ ହରାଇ ଦେଇଛି। ବାଲେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ପକ୍ଷରୁ ଧନଞ୍ଜୟ ମାରାଣ୍ଡି ୨୭ ଓ ଦଶରଥ ହେମ୍ବ୍ରମ ୪୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଆୟୋଜକ୍‌ କ୍ଲବର ଉପସଭାପତି ଅକ୍ଷୟ କୁମାର ଦାସ ଅତିଥିଭାବେ ଉପସ୍ଥିତ ରହି ବିଜୟୀ ଦଳର ଶେଖ ରୋହମାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦେଇଥିଲେ। ଏହି ଅବସରରେ ନରେନ୍ଦ୍ର ସେଠୀ, ରଘୁ ପଣ୍ଡା, ପ୍ରିୟନାଥ ମିଶ୍ର, ଦେବେନ୍ଦ୍ର ମିଶ୍ର, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମ୍ୟାଚ ପରିଚାଳନା କରିଥିଲେ ଶ୍ରୀକାନ୍ତ ବହିଦାର, ରାଜେନ୍ଦ୍ର ବାରିକ, ଅମିତ ନାୟକ, କିର୍ତ୍ତୀ ସ୍ବାଇଁ, ଚନ୍ଦ୍ରକାନ୍ତ ବାରିକ ଓ ଏସ.କେ. ଖାଁ। ମ୍ୟାଚ କମିଶନର ଥିଲେ ମହେଶ୍ୱର ସିଂ। ଶନିବାର ପ୍ରଥମ ସେମିଫାଇନାଲରେ ସୁନ୍ଦରଗଡ଼ ଓ ଫୁଲବାଣୀ ସ୍ପୋଟର୍‌ସ ହଷ୍ଟେଲ ଏବଂ ଦ୍ୱିତୀୟ ସେମିଫାଇନାଲରେ ବାଲେଶ୍ୱର ଓ ନୟାଗଡ଼ ସ୍ପୋଟର୍‌ସ ହଷ୍ଟେଲ ମଧ୍ୟରେ ମୁକାବିଲା ହେବ।

Share