‘ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ’ ଲୋକାର୍ପିତ:ସ୍ଥାନପାଇଛି ବିଜୁବାବୁଙ୍କ ବ୍ୟବହୃତ ବିରଳ ସାମଗ୍ରୀ

ଭୁବନେଶ୍ୱର,୨୩ା୬(ବ୍ୟୁରୋ)- ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଘଟଣାବହୁଳ ଜୀବନ ଆଧାରିତ ଏକ ଫଟୋ ଗ୍ୟାଲେରୀ ଭୁବନେଶ୍ୱରଠାରେ ସ୍ଥାପିତ ହୋଇଛି। ‘ବିଜୁ ପଟ୍ଟନାୟକ ସ୍ମୃତି ଫଟୋ ଗ୍ୟାଲେରୀ’ ନାମରେ ନାମିତ ଏହି ଗ୍ୟାଲେରୀକୁ ରବିବାର ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଲୋକାର୍ପଣ କରିଛନ୍ତି। ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସି ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି ଗ୍ୟାଲେରୀ ବିଜୁବାବୁଙ୍କ ସ୍ବପ୍ନ ଓ ସଂକଳ୍ପପୂର୍ଣ୍ଣ ଜୀବନ କାହାଣୀକୁ ସମକାଳ ଓ ଭବିଷ୍ୟତ ପିଢ଼ିଙ୍କ ନିିକଟରେ ପହଞ୍ଚାଇବାରେ ସମର୍ଥ ହେବ ବୋଲି ବାଚସ୍ପତି କହିଥିଲେ।
ଲୋକାର୍ପଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ୍‌, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ଏହି ଗ୍ୟାଲେରୀ ପ୍ରବାଦପୁରୁଷଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ। ବିଧାୟକ ଦେବୀପ୍ରସାଦ ମିଶ୍ର, ଅରବିନ୍ଦ ଢାଲି, ଅମର ପ୍ରସାଦ ଶତପଥୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ପ୍ରଶାସକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସିର ସତ୍ତ୍ୱାଧିକାରୀ ଅନୀଲ ପ୍ରସାଦ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଗ୍ୟାଲେରୀ ପ୍ରତିଷ୍ଠାର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଏହି ଗ୍ୟାଲେରୀରେ ବିଜୁବାବୁଙ୍କ ଘଟଣାବହୁଳ ଜୀବନର ଆଲେଖ ବହନ କରିଥିବା ଶତାଧିକ ବିରଳ ସ୍ମରଣୀୟ ଫଟୋଚିତ୍ର ସ୍ଥାନ ପାଇଛି। ଏହାବ୍ୟତୀତ ବିଜୁବାବୁ ତାଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଅନେକ ଉପକରଣ ଓ ସାମଗ୍ରୀ ମଧ୍ୟ ଗ୍ୟାଲେରୀରେ ଦେଖିବାକୁ ମିଳୁଛି। ତାଙ୍କ ବ୍ୟବହୃତ କଲମ, ଘଣ୍ଟା, ଚଷମା, ହାତପୋଛା ତଉଲିଆ, ଚଉକି, ପାଣି ଜଗ୍‌, ପଢ଼ା ବହି, ପେପର ୱେଟ୍‌ ଇତ୍ୟାଦି ଏଠାରେ ପ୍ରଦର୍ଶିତ କରାଯାଇଛି। ପ୍ରବାଦପୁରୁଷଙ୍କ ପବିତ୍ର ଚିତାଭସ୍ମ ମଧ୍ୟ ଗ୍ୟାଲେରୀରେ ରହିଛି। ଏହି ଗ୍ୟାଲେରୀ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିଛି। ସୋମବାର ବ୍ୟତୀତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୨ଟା ୩୦ ରୁ ୪ଟା ପର୍ଯ୍ୟନ୍ତ ଏହା ଖୋଲାରହିବ।

Share