ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ଛାତ୍ର, ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ସୋନପୁର,୧୭।୪(ନି.ପ୍ର.): ପ୍ରବାଦ ପୁରୁଷ ତଥା ଜନନାୟକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଜିଲା ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ରକ୍ତ ଅଭାବ ଦୂର ପାଇଁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଜିଲା ଔଷଧ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି ସ୍ବେଚ୍ଛାସେବୀମାନେ ରକ୍ତ ଦାନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ଏସ୍‌ପି ଦେବୀପ୍ରସାଦ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଦୁର୍ଗାଦତ୍ତ ଦାଶ, ସତ୍ୟନାରାୟଣ ଦରଓ୍ବାନ, ସୁବାସ ପଣ୍ଡା, ଗୋପାଳ ଚନ୍ଦ୍ର ବରେଇ, ଦୀନେଶ ମିଶ୍ର ଓ ଜିଲା ଛାତ୍ର ବିଜେଡି ସଭାପତି ଶାଶ୍ୱତ କୁମାର ମିଶ୍ର ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅମୀୟ ରଞ୍ଜନ ଦାଶ, ଦେବାଶିଷ ପଟ୍ଟନାୟକ, ଅଭିଶେକ ଶର୍ମା, ଚନ୍ଦନ ବେହେରା, ଭାସ୍କର ଦାସ ସହଯୋଗ କରିଥିଲେ । ଜିଲା ରକ୍ତଭଣ୍ଡାରର ଟେକ୍‌ନିସିଆନ ଟିଟୁ ଭୋଇ, ଯୁଧିଷ୍ଠିର ନାଏକ ଓ ଜଗତ ନାରାୟଣ ଦରଓ୍ବାନ ରକ୍ତ ସଂଗ୍ରହ କରିଥିଲେ।

Share