ବିଜୁ ଯୁବ ବାହିନୀ ଆରମ୍ଭ କରିବ ‘ନନ୍ଦିନୀ’

ଭୁବନେଶ୍ୱର, ୬।୧୨(ବ୍ୟୁରୋ):ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ବିରୋଧରେ ସଚେତନତା ପାଇଁ ବିଜୁ ଯୁବ ବାହିନୀ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ଆରମ୍ଭ କରାଯିବ। ଯୁବ ବାହିନୀ ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଓ ଓ୍ବାର୍ଡରେ ଏହି ସଂସ୍କାରମୂଳକ କାର୍ଯ୍ୟକ୍ରମ କରିବେ। ସେମାନେ ପୋଷ୍ଟର ଓ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବେ। ଏଥିସହିତ ବିଭିନ୍ନ ସରକାରୀ ନିୟମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯାଇ ସମ୍ପୃକ୍ତ ଅଞ୍ଚଳକୁ ବାଲ୍ୟବିବାହ ମୁକ୍ତ, ଯୌତୁକ ମୁକ୍ତ ଏବଂ ଘରୋଇ ହିଂସାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ପାଇଁ ସଙ୍କଳ୍ପ ସଭାମାନ ଆୟୋଜନ କରିବେ। ନନ୍ଦିନୀ କାର୍ଯ୍ୟକ୍ରମର ପ୍ରାକ୍‌ ପ୍ରସ୍ତୁତି ବୈଠକ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଯୁବ କଲ୍ୟାଣ ପରିଷଦ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଯୋଗଦେଇଥିଲେ।

Share