ବିଜେଡିକୁ କରୋନା ଘାରିଛି; ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ବିଧାନସଭା ବନ୍ଦ: ଭାଜପା

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବଜେଟ ଅଧିବେଶନକୁ ମୁଲତବୀ କରାଯାଇଛି। ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ଘୋଷଣା କରାଯାଇଛି। ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି। ଅପରପକ୍ଷେ ବଜେଟ ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବାକୁ ଦିନ ଧାର୍ଯ୍ୟ ହୋଇଛି। ତେବେ ବିଧାନସଭା ମୁଲତବୀକୁ ନାପସନ୍ଦ କରି ଶୁକ୍ରବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟିପ୍ପଣୀ ଦେଇଥିବା ବେଳେ ଶନିବାର ତାଙ୍କ ସହ ବିରୋଧୀ ଦଳ ଉପନେତା ଓ ମୁଖ୍ୟ ସଚେତକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଏ ନେଇ ଆୟୋଜିକ ଏକ ଖବରଦାତା ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ବିଧାନସଭା ବନ୍ଦ କଲେ। ଆଲୋଚନା କଲେ ବିଜେଡିର ଚରିତ୍ର ପଦାକୁ ଆସିବା ନେଇ ଭୟ କଲେ। କରୋନା ନାଁରେ ନବୀନ ବାବୁ ଭୟ ସୃଷ୍ଟି କରାଇଛନ୍ତି ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି। କରୋନା ବାହାନା ପଛରେ କେଉଁମାନଙ୍କୁ ଅନୁକମ୍ପା ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କହିଛନ୍ତି। ନବୀନ ବାବୁ ଓ ତାଙ୍କ ଦଳକୁ କରୋନା ଘାରିଛି ବୋଲି ସେ କହିଛନ୍ତି। ଆମକୁ ବିଶ୍ୱାସକୁ ନେଲେ ନାହିଁ, ଏକତରଫା ଗୃହ ବନ୍ଦ କଲେ। ଚିତ୍ର ଚରିତ୍ର କାଳେ ଧରା ପଡିଯିବ ସେଥିପାଇଁ କୋକୁଆ ଭୟ ସୃଷ୍ଟି କରୁଛନ୍ତି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।

Share