ବିଜେଡିକୁ ଫେରିବାକୁ ମନ ବଳାଇଲେଣି ଦାମ: କହିଲେ ‘ଦଳରେ ରହିବାକୁ ଚାହେଁ, ହେଲେ ପଦପଦବୀ ନେବି ନାହିଁ ନା ନିର୍ବାଚନ ଲଢ଼ିବି’

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଜେଡି ଫେରିବାକୁ ମନ ବଳାଇଲେଣି ବରିଷ୍ଠ ନେତା ଡା. ଦାମୋଦର ରାଉତ। ବୁଧବାର ସେ ଖୋଲାଖୋଲି ନିଜ ମନକଥା କହିଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଦାମ କହିଛନ୍ତି, ବିଜେଡି ମୋତେ ବହିଷ୍କାର କଲା ପରେ ଭାଜପା ପ୍ରଲୋଭିତ କରି ଦଳରେ ମିଶାଇଲା। ହେଲେ ନିର୍ବାଚନ ସରିବା ପରେ ମୋତେ ଭୁଲିଗଲା। ଏବେ ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି, ସେଠାରେ ଆଉ କାହାକୁ ରଖିବି କେମିତି। ଏଥିଯୋଗୁ ମୁଁ ଭାଜପାରୁ ଇସ୍ତଫା ଦେଇଦେଲି। ହେଲେ ମୁଁ ବିଜେଡିରେ ଥିଲି, ମୋତେ ବହିଷ୍କାର କରାଯାଇଥିଲା। ଯଦି ସେମାନେ ବହିଷ୍କାର ଉଠାଇ ଦିଅନ୍ତି, ମୁଁ ପୁଣି ଦଳରେ ରହିବି। କିନ୍ତୁ କୌଣସି ପଦପଦବୀ ନେବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ। କାରଣ ମୋର ବୟସ ହେଲାଣି। ଶାରିରୀକ ଅସୁସ୍ଥତା ଦେଖାଦେଲାଣି, ଏଣୁ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ। ମୁଁ ବିଜୁବାବୁଙ୍କ ଅନୁଗତ। ତାଙ୍କ ନୀତି ଆଦର୍ଶରେ ଲୋକଙ୍କ ସେବା କରିବି। କିନ୍ତୁ ଦଳୀୟ ରାଜନୀତିରେ ଭାଗ ନେବାକୁ ଇଚ୍ଛା ନାହିଁ। ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ କେବେ ଯାଇନି, ସର୍ବଦା ସରକାରୀ ଦଳର ଦୁର୍ନୀତି ବିରୋଧରେ ସ୍ବର ଉଠାଇଛି ବୋଲି ସେ କହିଛନ୍ତି।

ଦାମଙ୍କ ଏଭଳି ବୟାନ ପରେ ଏବେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖ ଶିବିରକୁ ଦାମଙ୍କୁ ଫେରାଇ ଆଣୁଛନ୍ତି ଅଥବା ନାହିଁ ତାହା ଦେଖିବାକୁ ବାକି ରହିିଲା।

Share