ବିଜେଡି ଦଖଲରେ ବ୍ରହ୍ମପୁର ଲୋକ ସଭା: ବାଜିମାରିଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଅଫିସ,୨୪ା୫: ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛନ୍ତି ବିଜେଡିର ଚନ୍ଦ୍ରଶେଖର ସାହୁ । ଚନ୍ଦ୍ରଶେଖର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ଭୃଗୁ ବକ୍ସିପାତ୍ରଙ୍କଠାରୁ ୯୪,୮୪୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ୧ଲକ୍ଷ ୪୨ହଜାର ୬୩୨ ଖଣ୍ଡ ଭୋଟରେ ତୃତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ। ବହୁଜନ ସମାଜ ପାର୍ଟିର ତିରୁପତି ରାଓ କର୍ନ୍ନମ ୮,୨୯୦ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରଗତି ଦଳର ଶ୍ରୀହରି ପଟ୍ଟନାୟକ ୮, ୩୦୪, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ)ର ସୋମନାଥ ବେହେରା ୮, ୨୯୬, ସ୍ବାଧୀନ ପ୍ରାର୍ଥୀ ଚକ୍ରଧର ସାହୁ ୭, ୦୮୧ ଏବଂ କେ. ଶ୍ୟାମ ବାବୁ ସୁବୁଦ୍ଧି ୮,୦୮୪ ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୧୪, ୩୮୧ ଖଣ୍ଡ ଭୋଟ ପଡ଼ିଛି।
ଏହି ବିଜୟ ସହ ଚନ୍ଦ୍ରଶେଖର ଦ୍ୱିତୀୟ ଥର ପାଇଁ ବ୍ରହ୍ମପୁରର ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି । ସେ ୨୦୦୪ରେ ପ୍ରଥମ ଥର ପାଇଁ କଂଗ୍ରେସରୁ ଲଢ଼ି ଏମ୍‌ପି ହୋଇଥିଲେ । କେନ୍ଦ୍ରର ଉପା ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । ହେଲେ ୨୦୦୯ ଏବଂ ୨୦୧୪ ମସିହାରେ କଂଗ୍ରେସ ଟିକେଟରୁ ଲଢ଼ି ବିଜେଡି ସିଦ୍ଧାନ୍ତ ମହାପାତ୍ରାଙ୍କଠାରୁ ପରାସ୍ତ ହୋଇଥିଲେ। ୨୦୧୮ ଏପ୍ରିଲ ୪ ତାରିଖରେ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିଲେ । ଚଳିତ ଥର ଦଳ ତାଙ୍କୁ ବ୍ରହ୍ମପୁର ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଥିଲା।