ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଘଟଣା:ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୨୫ା୨: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଘଟଣା ସୋମବାର ନୂଆ ମୋଡ଼ ନେଇଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ମୀନାକ୍ଷୀ ଆତ୍ମାହୁତି ଦେଇଥିବା ଯୋଗୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। ଏହି ମାମଲାର ତଦନ୍ତ ଦାୟିତ୍ୱ ସୋମବାର ଆଇଜିପି(ଆଧୁନିକୀକରଣ) ରେଖା ଲୋହାନୀଙ୍କୁ ପ୍ରଦାନ କରାଯାଇଥିବା ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ ଆପରାଧିକ ମାମଲାରେ ମୀନାକ୍ଷୀଙ୍କ ପୁଅ ରାଜାଙ୍କୁ ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ପୋଲିସ ଜାନୁୟାରୀ ୨୮ତାରିଖରେ ଗିରଫ କରିଥିଲା। ତେବେ ରାଜା ନିର୍ଦ୍ଦୋଷ ଏବଂ ତାଙ୍କୁ ଫସାଇ ଦିଆଯାଇଥିବା ମୀନାକ୍ଷୀ କହି ଆସୁଥିଲେ। ଯଦି ତାଙ୍କ ପୁଅଙ୍କୁ ତୁରନ୍ତ ଖଲାସ କରା ନ ଯାଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଗତ ୧୦ତାରିଖରେ ବ୍ରହ୍ମପୁରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଥିଲେ। ତଥାପି ପୋଲିସ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଥିଲା। ଫେବୃୟାରୀ ୧୨ତାରିଖ ପୂର୍ବାହ୍ନରେ ମୀନାକ୍ଷୀ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏସ୍‌ପି ବ୍ୟସ୍ତ ଥିବା ଯୋଗୁ ଜଣେ ଏଏସ୍‌ପିଙ୍କୁ ସାକ୍ଷାତ୍‌ କରିବାକୁ କହିଥିଲେ। ମୀନାକ୍ଷୀ ଏଏସ୍‌ପିଙ୍କ ଚାମ୍ବରରୁ ବାହାରି ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ହିଁ ନିଜ ଦେହରେ କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏମ୍‌କେସିଜି ଏବଂ ପରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ତାରିଖ ସକାଳେ ମୀନାକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଶାସକ ଦଳର ଜଣେ ନେତ୍ରୀ ନ୍ୟାୟ ନ ପାଇ ଆତ୍ମାହୁତି ଦେଇଥିବା ଯୋଗୁ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଥିଲେ।
ତେବେ ଡିଜିପି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ନାନା କଳ୍ପନାଜଳ୍ପନା ଦେଖାଦେଇଛି। ଏଏସ୍‌ପିଙ୍କ ଚାମ୍ବରରୁ ବାହାରି ମୀନାକ୍ଷୀ ହଠାତ୍‌ ଆତ୍ମାହୁତି ଦେଇଥିଲେ। ଏଣୁ ଏଏସ୍‌ପିଙ୍କ ସହ ସେ କ’ଣ ଆଲୋଚନା କରିଥିଲେ, ଖବରଦାତା ସମ୍ମିଳନୀରେ ମୀନାକ୍ଷୀ ଆତ୍ମାହୁତି ଚେତାବନୀ ଦେବା ସତ୍ତ୍ୱେ ପୋଲିସ ତାହାକୁ କାହିଁକି ଗୁରୁତର ସହ ନେଇ ନ ଥିଲା, ଏଭଳି ଅନେକ ଦିଗକୁ ନେଇ ଏହି ତଦନ୍ତ ଚାଲିବ ବୋଲି କୁହାଯାଉଛି।

Share