ବିଜେଡି ନେତ୍ରୀ ମିନାକ୍ଷୀଙ୍କ ଆତ୍ମାହୁତି ଘଟଣା: ୯ ଦିନ ପରେ ଆଖି ବୁଜିଲେ

ବ୍ରହ୍ମପୁର ଅଫିସ/ ଭୁବନେଶ୍ୱର,୨୦।୨(ବ୍ୟୁରୋ): ମହିଳା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିନାକ୍ଷୀ ମିଶ୍ର ଗତ ୧୨ ତାରିଖରେ ତାଙ୍କ ପୁଅ ରାଜା ଓରଫ କୃତିବାସ ମିଶ୍ରଙ୍କୁ ପୋଲିସ ମିଥ୍ୟା ମାମଲାରେ ଗିରଫ କରିଥିବା ପ୍ରତିବାଦରେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ସେ ତାଙ୍କୁ ଭେଟି ନ ପାରି ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଭେଟିଥିଲେ। ନ୍ୟାୟ ନ ପାଇ ଏସ୍‌ପି କାର୍ଯ୍ୟାଳୟ ପରିସରରେ ନିଜ ଦେହରେ କିରୋସିନ ଢାଳି ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଜଣେ ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ହେଡକ୍ୱାଟର ନିରଞ୍ଜନ ଧୀର ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି।
ମିନାକ୍ଷୀ ଦୀର୍ଘ ୯ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ ରାଜା, ଝିଅ ଓ ଜ୍ୱାଇଁ ରହିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଗତ ଜାନୁଆରୀ ୨୮ ତାରିଖରେ କିଛି ଦୁର୍ବୃତ୍ତ ମିନାକ୍ଷୀଙ୍କ ଘରକୁ ଯାଇ ରାଜାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଘର ଭିତରେ ଥିବା ମା’ ମିନାକ୍ଷୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ଉଭୟ ମା’ ଓ ପୁଅ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ପ୍ରଥମେ ଜଣେ ନାବାଳକଙ୍କୁ ଧରି ଜେଜେବିକୁ ପଠାଇଥିଲା । ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ୟପଟେ ଜଣେ ଅଭିଯୁକ୍ତଙ୍କ ଅଭିଯୋଗ କ୍ରମେ ଆହତ ରାଜାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମିନାକ୍ଷୀ ଆତ୍ମାହୁତି ଉଦ୍ୟମକରି କଟକ ବଡ ମେଡିକଲରର ଚିକିତ୍ସିତ ହେବା ପରେ ତାଙ୍କ ଓକିଲ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ରାଜାଙ୍କୁ ଗତ ୧୩ ତାରିଖରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ସେ ମା’ଙ୍କ ନିକଟରେ ଥିବା ବେଳେ ଗତ ୧୪ ତାରିଖରେ ମିନାକ୍ଷୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଏଇସିୟୁରେ ରହି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ଖବର ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

Share