ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ୍‌ ରାଲି: ୨୫ ଜଣଙ୍କ ନାମରେ ଚାଲାଣ କାଟିଲା ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ)- ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ ରାଲି ମହଙ୍ଗା ପଡ଼ିଛି। କମିଶନରେଟ ପୋଲିସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ପ୍ରାଥମିକ ପର୍ଯ୍ୟାୟରେ ୨୫ଜଣ ବାଇକ ଚାଳକଙ୍କ ଉପରେ ଜରିମାନା କରିିଛି। ୧ହଜାର ଟଙ୍କା ହିସାବରେ ମୋଟ ୨୫ହଜାର ଟଙ୍କାର ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି।

ଗତ ୨୫ ତାରିଖ ବିଜେଡି ପ୍ରତିଷ୍ଠା ଦିବସରେ ଶତାଧିକ ନେତା ଓ କର୍ମୀ ବାଇକ ରାଲିରେ ସହର ପରିକ୍ରମା କରିଥିଲେ। ବାଇକ ଚାଳକମାନେ ବିନା ହେଲ୍‌ମେଟରେ ରାଜଧାନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ପୋଷ୍ଟକୁ ଅତିକ୍ରମ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏହା ନଜରକୁ ଆସିବା ପରେ କେତେଜଣ ବ୍ୟକ୍ତି ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଗତ ୨୮ ତାରିଖରେ ଟୁଇଟ କରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ସେ ନିଜ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ ଯେ, ଦେଶର ଅନେକ ସ୍ଥାନରେ ରାଲି ସମୟରେ ଗାଡ଼ି ଚାଳକମାନେ ଟ୍ରାଫିକ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ତଥାପି ସିସଟିଭି ଫୁଟେଜ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ତେବେ ବିଜେଡିର ଉକ୍ତ ରାଲିରେ ଶହ ଶହ ବ୍ୟକ୍ତି ବିନା ହେଲ୍‌ମେଟରେ ବାଇକ୍‌ ଚଳାଉଥିବାବେଳେ ଅଳ୍ପ ସଂଖ୍ୟକ ଚାଳକଙ୍କ ନାଁରେ କାହିଁକି ଚାଲାଣ କରାଯାଇଛି ବୋଲି ସୋସିଆଲ ମିଡିଆରେ ଅନେକେ ପ୍ରଶ୍ନ ଉଠାଇଛନ୍ତି।

Share