ବିଜେଡି ଫୋକସ୍‌ରେ ବିଧାନ ପରିଷଦ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ବିଧାନସଭାରେ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ହେଲେ ଏଥିପାଇଁ ପାର୍ଲାମେଣ୍ଟରେ ବିଧେୟକ ଆସି ଗୃହୀତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ତେଣୁ ଚଳିତ ଶୀତ ଅଧିବେଶନର ସଂସଦୀୟ କାର୍ଯ୍ୟସୂଚୀରେ ଏହାକୁ ସାମିଲ କରିବା ପାଇଁ ବିଜେଡି ଚାହଁୁଛି। ଲୋକ ସଭାରେ ଦଳର ନେତା ପିନାକୀ ମିଶ୍ର ରବିବାର ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ତେଣୁ ଓଡ଼ିଶା ବିଧାନ ପରିଷଦ ସମ୍ବନ୍ଧୀୟ ବିଧେୟକ ଚଳିତ ଅଧିବେଶନରେ ଆଗତ ହେଉଛି ନା ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ।
ସୂଚନାନୁଯାୟୀ, ଓଡ଼ିଶା ସମେତ ମୋଟ ୪ଟି ରାଜ୍ୟ ବିଧାନ ପରିଷଦ ପାଇଁ ଚେଷ୍ଟା ଚଳାଇଛନ୍ତି। ଓଡ଼ିଶା ଏହି କ୍ରମରେ ୪ର୍ଥରେ ଥିବା ଜଣାପଡ଼ିଛି। ଚଳିତ ଅଧିବେଶନର ଶେଷଆଡ଼କୁ ଏହାକୁ ଗୃହରେ ଉପସ୍ଥାପନ ପାଇଁ ଦଳ ପକ୍ଷରୁ ସଂସଦୀୟ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି। ଯଦି ଏଥର ଏହି ବିଧେୟକ ଆସିବ ନାହିଁ, ତେବେ ବିଜେଡିକୁ ଆସନ୍ତା ବଜେଟ ଅଧିବେଶନକୁ ଅପେକ୍ଷା କରିବାକୁ ପଡିବ। ଏହି ବିଧେୟକ ଆଗତ ପୂର୍ବରୁ ବିଜେଡି ଏବଂ କେନ୍ଦ୍ରରେ କ୍ଷମତାସୀନ ଭାଜପା ମଧ୍ୟରେ ମିଳିତ ସହମତି ପାଇଁ ଚେଷ୍ଟା ଅବ୍ୟାହତ ରହିଛି। ଉପକୂଳ ଓଡ଼ିଶାର ଜଣେ ବିଜେଡି ଏମ୍‌ପି ଭାଜପାର ଶୀର୍ଷ ନେତୃତ୍ୱଙ୍କୁ ମନାଇବା ପାଇଁ ନୂଆଦିଲ୍ଲୀରେ ପ୍ରୟାସ କରୁଥିବା ଜଣାପଡ଼ିଛି।

Share