ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ନିର୍ଦ୍ଦେଶ: ଅଧିବେଶନ ସମୟରେ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ହୁଅ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାୟକମାନଙ୍କ ସକାରାତ୍ମକ ଉପସ୍ଥିତି ନେଇ ମତ ରଖିଛନ୍ତି। ଏନେଇ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିବା ସହ ତାହାର ଅନୁପାଳନ ପାଇଁ ବିଧାୟକମାନଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ଦଳର ବିଧାୟକ ଦଳ ବୈଠକରେ ବିଜେଡି ସଭାପତି ଏହି କଥା କହିଛନ୍ତି। ଅଧିବେଶନ ଚାଲିଥିବା ସମୟରେ କୌଣସି ବିଜେଡି ବିଧାୟକ ୨ ଦିନରୁ ଅଧିକ ଛୁଟି ନେବାକୁ ଚାହିଁଲେ, ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବା ଆବଶ୍ୟକ ବୋଲି କୁହାଯାଇଛି।
ରାଜ୍ୟ ସରକାର ଯେଉଁ ଢଙ୍ଗରେ ୫-ଟି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଅନୁରୂପଭାବେ ଶାସକ ଦଳ ବିଧାୟକମାନେ ବୈଷୟିକ ପଦ୍ଧତି ଉପଯୋଗ କରି ଉପସ୍ଥାନ ରେକର୍ଡ କରିବା ସହ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହ ଚାଲୁଥିବାବେଳେ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୦ରେ ଦଳୀୟ ବିଧାୟକଙ୍କ ଉପସ୍ଥିତି ନେଇ ସଭାପତିଙ୍କୁ ଜଣାଇବେ। ଏଥିସହିତ ଉପସ୍ଥିତ ଏବଂ ଅନୁପସ୍ଥିତ ବିଧାୟକଙ୍କ ତାଲିକା ମଧ୍ୟ ପ୍ରଦାନ କରିବେ। ସେହିପରି ଏହି ଅଧିବେଶନରେ ବିଧାୟକମାନେ ଯେପରି ବିତର୍କରେ ଅଧିକ ପରିମାଣରେ ଭାଗ ନେବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ନବ ନିର୍ବାଚିତ ବିଧାୟକମାନଙ୍କ ଅଂଶଗ୍ରହଣକୁ ସେ ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳଗୁଡିକ ଦ୍ୱାରା କରାଯାଉଥିବା ଗଠନଧର୍ମୀ ସମାଲୋଚନାକୁ ସ୍ବାଗତ କରାଯିବ। ଅନୁରୂପଭାବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ଶାସକ ଦଳ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବିଜେଡି ସଭାପତି କହିଛନ୍ତି। ଗଣତନ୍ତ୍ରରେ ଲୋକମାନେ ରାଜନେତାଙ୍କ ପ୍ରକୃତ ପ୍ରଭୁ। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପାଟକୁରା ଏବଂ ବିଜେପୁର ଉପନିର୍ବାଚନରେ ଦଳ ପ୍ରତି ସମର୍ଥନ ବିଜେଡି ପ୍ରତି ଜନତାଙ୍କ ଅତୁଟ ବିଶ୍ୱାସ ବୋଲି କୁହାଯାଇଛି। ବିଜେଡି ବିଧାୟକମାନେ ଏଣିକି ପ୍ରତି ଦୁଇ ମାସରେ ନିଜ ନିର୍ବାଚନମଣ୍ଡଳୀ ସମ୍ପର୍କିତ କାର୍ଯ୍ୟାବଳୀର ବିବରଣୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ସେହିପରି ଏହି ରିପୋର୍ଟ ରୂପରେଖ କିପରି ରହିବ, ତାହା ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ବିଧାୟକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ୧୦ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ସମ୍ପର୍କିତ ରୂପରେଖ ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏହି କମିଟିରେ ଅମର ଶତପଥୀ, ଉଷାଦେବୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ କିଶୋର ମହାନ୍ତି ପ୍ରମୁଖ ସଦସ୍ୟ ରହିଛନ୍ତି। ବିଧାୟକ ଦଳ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ସଚେତକ ପ୍ରମିଳା ମଲିକ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ଅନ୍ୟ ବିଧାୟକମାନେ ଉପସ୍ଥିତ ରହିଥିଲେ।

Share