ବିଜେଡି ବିଧାୟକ ଦଳ ବୈଠକ:ସକରାତ୍ମକ ଅଂଶଗ୍ରହଣ ନେଇ ମୁଖ୍ୟମନ୍ତ୍ରୀ ଆଶାବାଦୀ

ଭୁବନେଶ୍ୱର,୨୩।୬(ବ୍ୟୁରୋ)- ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ରବିବାର ବିଜେଡି ବିଧାୟକ ଦଳ ବୈଠକ ବସିଛି। ବୈଠକ ପରେ ଦଳ ତଥା ଗୃହର ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ଅଧିବେଶନର ବିଜେଡିର ପ୍ରତ୍ୟେକ ବିଧାୟକ ସକରାତ୍ମକଭାବେ ଗୃହ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ। ଇସ୍ତାହାରରେ ଉପସ୍ଥାପନ କରାଯାଇଥିବା ବିଷୟକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସହ ରାଜ୍ୟର ଉନ୍ନତି ପାଇଁ ସହଯୋଗ କରିବ। ରାଜ୍ୟ ସ୍ବାର୍ଥ ସମ୍ବନ୍ଧିତ ଯେ କୌଣସି ପ୍ରସଙ୍ଗ ସରକାର କେନ୍ଦ୍ର ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟରେ ଅଧିବେଶନକୁ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବଜେଟ୍‌ ଉପସ୍ଥାପନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ୍‌ ଆଲୋଚନା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ କରାଯିବ। ଲୋକଙ୍କ ପାଇଁ କାର୍ଯ୍ୟ କରିବା ଜନପ୍ରତିନିଧିଙ୍କ କାମ। ବିରୋଧୀଙ୍କୁ ବିଶ୍ୱାସଭାଜନକୁ ନେଇ ଗୃହକାର୍ଯ୍ୟ ପରିଚାଳନା କରାଯିବ ବୋଲି ଆରୁଖ କହିଛନ୍ତି। ସା ୫ଟା ୩୦ରେ ହୋଇଥିବା ବୈଠକରେ ବିଜେଡି ପକ୍ଷରୁ ପ୍ରାୟ ୯୬ ଜଣ ବିଧାୟକ ଉପସ୍ଥିତ ଥିଲେ। ନିର୍ଦ୍ଦାରିତ ସମୟର ସାମାନ୍ୟ ଡେରିରେ ମୁଖ୍ୟମନ୍ତ୍ରୀ ବୈଠକରେ ପହଞ୍ଚି ଅଧ୍ୟକ୍ଷତା କରିଥିଲେ। ନବନିର୍ବାଚିତ ବିଧାୟକଙ୍କୁ ସ୍ବାଗତ କରିବା ସହ ଗୃହ କାର୍ଯ୍ୟରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ କହିଥିଲେ। ବିଧାନସଭାରେ ଉପଯୁକ୍ତ ସମନ୍ବୟ ନେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ଉପ-ମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା।

Share