Advertisement

ବିଜେଡି ବିଧାୟକ ପ୍ରାର୍ଥୀ ଓ ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡା ହାଇସ୍କୁଲ ପଡ଼ିଆରେ ବୁଧବାର ପୂର୍ବାହ୍ନରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ୧୫ହଜାର ଊର୍ଦ୍ଧ୍ୱ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଏହାପରେ ସେ ଭାଜପା ସରକାରଙ୍କୁ ସମାଲୋଚନା କରିବା ସହ ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ଓ କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭୋଟ ଭିକ୍ଷା କରିଥିଲେ। ଏଥିସହ କେନ୍ଦୁଝରରେ ମେଡ଼ିକାଲ କଲେଜ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବା ସହ, ରିମୂଳି ରାଜାମୁଣ୍ଡା ଜାତୀୟ ରାଜପଥ ସମ୍ପୂର୍ଣ୍ଣ କରାଯିବ। ଶାସନକୁ ଆସିବାର ପ୍ରଥମ ଦିନରେ ଲୋକମାନଙ୍କୁ କାଳିଆ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ବିଜେଡି ପାଟଣା ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଜଗନ୍ନାଥ ନାଏକ ଓ ଏମ୍‌ପି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ଭୋଟରଙ୍କୁ ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ୪ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share