Categories: ଗଞ୍ଜାମ

ବିଜେଡି ବିରୋଧରେ ଏସ୍‌ପିଙ୍କୁ ଫେରାଦ ହେଲା ଭାଜପା

ବ୍ରହ୍ମପୁର ଅଫିସ,୩୦ା୪-ପ୍ରଥମ ପର୍ଯ୍ୟାୟ ଅର୍ଥାତ ଗତ ୧୧ ତାରିଖରେ ଚିକିଟି ବିଧାନସଭା ଆସନ ଲାଗି ହୋଇଥିବା ମତଦାନ ପରେ ବିଜେଡି ନେତା ଓ କର୍ମୀମାନେ ଭାଜପା ନେତା, କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି। ଏପରିକି ଭାଜପାକୁ ସମର୍ଥନ କରୁଥିବା ଲୋକଙ୍କୁ ଗାଁରୁ ବାସନ୍ଦ କରିଥିବା ନେଇ ଜରଡ଼ା, କେ.ନୂଆଗାଁ  ଓ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏସବୁ ଥାନାରେ ୧୪ଟି ଅଭିଯୋଗ ହୋଇଥିବା ବେଳେ ପୋଲିସ କେବଳ ୭ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଇନି ବୋଲି ଭାଜପା ଅଭିଯୋଗ କରିଛି। ଭାଜପାର ଏକ ପ୍ରତିନିଧି ଦଳ ଏ ନେଇ ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ରଙ୍କ ନିକଟରେ ଫେରାଦ ହୋଇଛି। ଉପରୋକ୍ତ ୩ ଥାନାରେ ଦିଆଯାଇଥିବା ୧୪ ଏତଲା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା ହୋଇଥିବା ସୋମବାର ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ତଥା ବ୍ରହ୍ମପୁର ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଖବରଦାତାଙ୍କୁ ସୂଚନା ଦେଇଛନ୍ତି।

ଭୃଗୁ ଆହୁରି କହିଛନ୍ତି, ଯେଉଁମାନେ ଭାଜପାକୁ ସମର୍ଥନ କରିଥିଲେ ଏବଂ ନିର୍ବାଚନ ପ୍ରଚାର ବେଳେ ଆମ ସହ ଯୋଡ଼ି ହୋଇଥିଲେ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଛି। ଚିକିଟିରେ ବିଜେଡି କର୍ମୀ ଓ ନେତାଙ୍କ ଗୁଣ୍ଡାରାଜ୍‌ ସମସ୍ତ ସୀମା ଲଂଘିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ଭୁବନେଶ୍ୱର ଓ ପରେ କେନ୍ଦ୍ରାପଡ଼ା ନିର୍ବାଚନ ପ୍ରଚାରରେ ଯୋଗ ଦେଇଥିବା ବେଳେ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ହୋଇଛି। ଯେଉଁ ଅଞ୍ଚଳର ମହିଳାମାନେ ଭାଜପା ପାଇଁ ପ୍ରଚାର କରୁଛନ୍ତି, ସେମାନଙ୍କ ଘରକୁ ବିଜେଡିର ଗୁଣ୍ଡାମାନେ ଯାଇ ଅତ୍ୟାଚାର କରୁଛନ୍ତି। ଥାନାରେ ଏଭଳି ସଂଗୀନ ଅଭିଯୋଗ ପରେ ବି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ସହଯୋଗ ମିଳିଲା ନାହିଁ। ତେଣୁ ସୋମବାର ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସପିଙ୍କ ନିକଟରେ ଫେରାଦ ହୋଇଛି। ସମସ୍ତ ଘଟଣାର ତଦନ୍ତ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଥିବା ଭୃଗୁ ସୂଚନା ଦେଇଛନ୍ତି।  ଅନ୍ୟପକ୍ଷରେ ଏସପି  କହିଛନ୍ତି, ନିର୍ବାଚନ ବେଳେ ହୋଇଥିବା ହିଂସା ନେଇ ଭାଜପା ପ୍ରତିନିଧି ଦଳ ଏକ ସ୍ମାରକପତ୍ର ଦେଇଛି।

ସେମାନେ କରିଥିବା ଅଭିଯୋଗ ଗୁଡ଼ିକ ନେଇ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଅନ୍ୟପଟେ ଭାଜପା ନେତା ଓ କର୍ମୀଙ୍କ ବିରୋଧରେ ବିଜେଡି ପକ୍ଷରୁ ବିଭିନ୍ନ ଥାନାରେ ପାଲଟା ଅଭିଯୋଗ କରାଯାଇଛି। ଭାଜପା ତରଫରୁ ଦିଆଯାଇଥିବା ପିଟିଶନଗୁଡ଼ିକର ତଦନ୍ତ କରିବା ପାଇଁ ଅତିରିକ୍ତ ଏସପି ପ୍ରଭାତ ଚନ୍ଦ୍ର ରାଉତରାୟଙ୍କୁ ଦାୟିତ୍ୱ ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି।