ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି: ନିରଞ୍ଜନ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ବିଜେଡି ଏବଂ ଭାଜପା ମଧ୍ୟରେ ଅନୈତିକ ସନ୍ଧି ରହିଛି। ଲୋକ ସଭା ହେଉ କି ରାଜ୍ୟ ସଭାରେ ପ୍ରସଙ୍ଗ ଉତ୍‌ଥାପନ ନ କରିବା ଏବଂ ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନ ହେବା ବିଜେଡି-ଭାଜପା ମଧ୍ୟରେ ଅନୈତିକ ସନ୍ଧି ଥିବା ପ୍ରମାଣିତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୋମବାର କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପାର୍ଲାମେଣ୍ଟରେ ପ୍ରସଙ୍ଗ ନ ଉଠାଇବା ଏବଂ କଂଗ୍ରେସ ଉଠାଉଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଭାଗ ନେଉନାହିଁ। ଗତ ଅକ୍ଟୋବର ୨୬ତାରିଖରେ ଦେଶର ଅର୍ଥନୈତିକ ଦୁରବସ୍ଥା ସମ୍ପର୍କରେ ରାଜ୍ୟ ସଭାରେ ଆଲୋଚନା ପାଇଁ ବିଭିନ୍ନ ରାଜନୈତିକ ଦଳର ଏମ୍‌ପିମାନଙ୍କ ସହିତ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ, ସସ୍ମିତ ପାତ୍ର ଓ ଏନ୍‌.ଭାସ୍କର ରାଓ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଏହି ନୋଟିସକୁ ଆଧାର କରି ରାଜ୍ୟ ସଭା ପକ୍ଷରୁ ୨୭ତାରିଖ ଆଲୋଚନା ପାଇଁ ଗୃହର ରିଭାଇଜ୍‌ଡ ଲିଷ୍ଟ ଅଫ ବିଜ୍‌ନେସ୍‌ରେ ଉପରୋକ୍ତ ୩ ଜଣ ବିଜେଡି ଏମ୍‌ପିଙ୍କ ନାମ ପ୍ରକାଶିତ ହୋଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ତିନିଜଣ ଯାକ ଏମ୍‌ପି ଏହି ଆଲୋଚନାରେ ଭାଗ ନେଲେନାହିଁ। ୨୭ ତାରିଖ ରାଜ୍ୟ ସଭାର ୨୫୭ପୃଷ୍ଠା ବିଶିଷ୍ଟ ପ୍ରୋସିଡିଙ୍ଗରେ ତାହା ପ୍ରମାଣିତ କରୁଛି। ଏହାର ଠିକ୍‌ ଦିନକ ପରେ ଅର୍ଥାତ୍‌ ୨୯ଅକ୍ଟୋବରରେ ଯାଜପୁର ଜିଲା ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଜେଡିର ୩ଜଣ ଏମ୍‌ପି ଏହାକୁ ବିରୋଧ କରିଥିଲେ। ଏତିକିବେଳେ ଭାଜପାର ଏମ୍‌ପିମାନେ ଏଥିରେ ନୀରବଦ୍ରଷ୍ଟା ସାଜି ପରୋକ୍ଷରେ ପ୍ରସଙ୍ଗ ନ ଉଠାଇବା ପାଇଁ ନୀରବ ସମର୍ଥନ କରିଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ଏଆଇଆଇଏମ୍‌ଏସ୍‌ର ସଭ୍ୟପଦ ନିର୍ବାଚନରେ ଭାଜପାର ରାଜ୍ୟ ସଭାରେ ୮୧ ଏମ୍‌ପି ଥିବାବେଳେ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ୭ଜଣ ଏମ୍‌ପିଙ୍କ ଭୋଟରେ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ହରାଇ ନିର୍ବାଚିତ ହେଲେ। ଏହି ଦୁଇଟି ଘଟଣା ଓ ଏଆଇଆଇଏମ୍‌ଏସ୍‌ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାଜପା-ବିଜେଡି ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଆଲୋଚନା ନ କରିବା ପାଇଁ ଏକ ଅବୈଧ ସନ୍ଧି କରିଛନ୍ତି, ଯାହା ରାଜ୍ୟ ସ୍ବାର୍ଥର ସମ୍ପୂର୍ଣ୍ଣ ପରିପନ୍ଥୀ ଅଟେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।

Share