ବିଜେଡି ରାଜ୍ୟ ସଭା ପ୍ରାର୍ଥୀଙ୍କ ସତ୍ୟପାଠ: ସୁଜିତ୍‌ ସମସ୍ତଙ୍କଠାରୁ ଧନୀ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବୁଧବାର ବିଜେଡିର ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ନିଜର ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଆଦି ଉଲ୍ଲେଖ କରିଛନ୍ତି। ସତ୍ୟପାଠରୁ ମିଳିଥିବା ସୂଚନା ଅନୁଯାୟୀ ସୁଜିତ କୁମାରଙ୍କ ନିକଟରେ ମୋଟ ୧.୧୦ କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ସେ ଆମେରିକାର ହାର୍ଭାର୍ଡ ୟୁନିଭରସିଟିରୁ ପବ୍ଲିକ ଆଡମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସୁଜିତଙ୍କ ନିକଟରେ ୧୫.୧୭ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଥିବା ବେଳେ ତାଙ୍କ ନାମରେ ୭୪.୯୪ ଲକ୍ଷ ଟଙ୍କାର ଋଣ ରହିଛି। ସେହିପରି ଶ୍ରମିକ ନେତା ସୁବାସ ସିଂଙ୍କୁ ବିଜେଡି ରାଜ୍ୟ ସଭା ପାଇଁ ପ୍ରାର୍ଥୀ କରିଛି। ତାଙ୍କର ମୋଟ ୨୩.୩୭ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସୁବାସ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ବେଳେ ଆଇନରେ ମଧ୍ୟ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାମରେ ୧୧ଟି ମାମଲା ବିଚାରାଧୀନ ରହିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ମୁନ୍ନା ଖାଁଙ୍କ ନିକଟରେ ମୋଟ ୩୨.୯୫ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ନାମରେ ୧୪ ଲକ୍ଷ ଟଙ୍କାର ଋଣ ରହିଛି। ୧୯୮୩ ମସିହାରେ ସେ ଆନ୍ଧ୍ର ମାଟ୍ରିକ ପାସ୍‌ କରିଛନ୍ତି ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାରୁ ରାଜ୍ୟ ସଭା ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ମମତା ମହାନ୍ତଙ୍କ ନାମରେ ୨୫.୦୩ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଶନ ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Share