Categories: ଖେଳ

ବିଜେନ୍ଦରଙ୍କ କ୍ରମାଗତ ୧୨ତମ ବିଜୟ

ଦୁବାଇ,୨୩।୧୧(ପି.ଟି.)- ଭାରତୀୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂ ଘାନାର ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଚାର୍ଲସ ଆଡାମୁଙ୍କୁ ହରାଇ ଦେଇଛନ୍ତି। ଅପରାଜେୟ ହୋଇ ରହିଥିବା ହରିୟାଣା ବକ୍ସରଙ୍କ ଏହା କ୍ରମାଗତ ୧୨ତମ ବିଜୟ। ଏଥିସହିତ ପେସାଦାର ସର୍କିଟରେ ୪ ବର୍ଷ ଧରି ଅପରାଜେୟ ହୋଇ ରହିଛନ୍ତି। ୩୪ ବର୍ଷୀୟ ବିଜେନ୍ଦର ୮ ରାଉଣ୍ଡ ବିଶିଷ୍ଟ ଫାଇଟ୍‌ରେ ୪୨ ବର୍ଷୀୟ ଆଡାମୁଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଅଲିମ୍ପିକ୍‌ ବ୍ରୋଞ୍ଜ ପଦକଧାରୀ ବିଜେନ୍ଦରଙ୍କ ନିକଟରେ ଡବ୍ଲୁବିଓ ଏସିଆ ପାସିଫିକ ଓ ଓରିଏଣ୍ଟାଲ ସୁପର ମିଡ୍‌ଲଓ୍ବେଟ ବେଲ୍ଟ ରହିଛି। ମ୍ୟାଚ୍‌ରେ ତାଙ୍କ ଡାହାଣ ହାତର ଶକ୍ତିଶାଳୀ ପଞ୍ଚର ସମ୍ମୁଖୀନ ହୋଇପାରି ନ ଥିଲେ ପ୍ରତିପକ୍ଷ ବକ୍ସର ଆଡାମୁ। ଏପରି କି ସେ ଏକରୁ ଅଧିକ ଥର ନିୟନ୍ତ୍ରଣ ହରାଇ ଥିଲେ। ଏହା ଭଲ ମ୍ୟାଚ୍‌ ଥିଲା। ଆଡାମୁ ଜଣେ ଭଲ ପ୍ରତିଦ୍ୱନ୍ଦ୍ୱୀ। କିନ୍ତୁ ମୁଁ ତାଙ୍କ ପଞ୍ଚକୁ ଟ୍ୟାକେଲ କରିବା ଲାଗି ପୂରା ପ୍ରସ୍ତୁତ ଥିଲି। ମୋ ପଞ୍ଚ ଠିକ୍‌ ସ୍ଥାନରେ ବାଜିଥିଲା। ମୁଁ ବାଉଟ୍‌କୁ ଦୁଇରୁ ୩ ରାଉଣ୍ଡରେ ଶେଷ କରିବାକୁ ଚିନ୍ତା କରିଥିଲି। କିନ୍ତୁ ଏହା ଲମ୍ବା ଚାଲିଥିଲା। ଦୁବାଇରେ ମ୍ୟାଚ୍‌ ଜିତିବା ମୋ ପାଇଁ ଗର୍ବର ବିଷୟ ବୋଲି ବିଜେନ୍ଦର ବାଉଟ୍‌ ଜିତିବା ପରେ କହିଛନ୍ତି। ମ୍ୟାଚ୍‌ର ୪ର୍ଥ ରାଉଣ୍ଡରେ ଘାନା ବକ୍ସର ଅତ୍ୟଧିକ ନଇଁ ପଡ଼ିବାରୁ ପଏଣ୍ଟ ହରାଇ ଥିଲେ। ପୂର୍ବରୁ ୪୭ ଫାଇଟ ଲଢ଼ିଥିବା ଆଡାମୁଙ୍କ ଅଭିଜ୍ଞତା ମ୍ୟାଚ୍‌ରେ କିଛି କାମ ଦେଇ ନ ଥିଲା। ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ୨୬ ନକଆଉଟ୍‌ ସମେତ ମୋଟ ୩୩ ମ୍ୟାଚ୍‌ ଜିତିଛନ୍ତି।

Share