ବିଜେପୁରକୁ ପ୍ରାଧାନ୍ୟ : ଆସନ ଛାଡ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୩୧।୫(ବ୍ୟୁରୋ) : ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପୁଣି ଚର୍ଚ୍ଚାକୁ ଆସିଛି। ୨୦୧୭ ଦ୍ୱିତୀୟାର୍ଦ୍ଧରେ ତତ୍କାଳୀନ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ସେହି ଆସନ ଖାଲି ପଡିବାରୁ ଉପନିର୍ବାଚନ ଆବଶ୍ୟକ ହୋଇଥିଲା। ଶାସକ ଦଳ ବିଜେଡି ସ୍ବର୍ଗତ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। କଂଗ୍ରେସ ପ୍ରଣୟ ସାହୁ ଏବଂ ଭାଜପା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ଘଟଣାକ୍ରମରେ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ରୀତା ବହୁ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ରୀତାଙ୍କୁ ବିଜେଡି ପ୍ରାର୍ଥୀ କରି ନ ଥିଲା। ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ଆସନରୁ ବିଜେଡି ବିଧାୟକଭାବେ ଲଢି ବିଜୟୀ ହୋଇଛନ୍ତି। ପୂର୍ବଭଳି ନିଜ ପାରମ୍ପରିକ ଆସନ ହିଞ୍ଜିଳିରେ ମଧ୍ୟ ପ୍ରାର୍ଥୀ ହୋଇ ନବୀନ ବିଜୟୀ ହୋଇଛନ୍ତି। ତେଣୁ ୬ ମାସ ମଧ୍ୟରେ ନବୀନଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡିବ। ତେଣୁ ବିଜେପୁରକୁ ଛାଡିବା ସମ୍ଭାବନା ବେଶି ଥିବାରୁ ସେଠାରେ ଉନ୍ନତିମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।
ଯଦି ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡନ୍ତି, ତେବେ ସେଠାରୁ କାହାକୁ ପ୍ରାର୍ଥୀ କରାଯିବ। ବିଜେପୁର ନ ଛାଡି ଯଦି ହିଞ୍ଜିଳି ଛାଡନ୍ତି, ତେବେ ସେଠାରୁ କିଏ ପ୍ରାର୍ଥୀ ହେବ, ସେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନ ଛାଡିବା ଚର୍ଚ୍ଚା ଜୋର ଧରିଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ପୁତୁରା ତଥା ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ପୁତ୍ର ଅରୁଣ ପଟ୍ଟନାୟକ ସେହି ଆସନରୁ ଲଢିବେ ବୋଲି ଆଲୋଚନା ହେଉଥିଲା ମାତ୍ର ଶପଥ ଗ୍ରହଣର ଦୁଇଦିନ ପୂର୍ବରୁ ତାଙ୍କ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ, ତାଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟବାସୀ ବାଛିବେ ବୋଲି ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ ମତାମତ ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ କେଉଁ ଆସନ ରଖି କେଉଁଟି ଛାଡୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିଜେପୁରକୁ ପଞ୍ଚମ ପାଳିର ଦ୍ୱିତୀୟ ଦିନରୁ ମୁଖ୍ୟମନ୍ତ୍ରୀଙ୍କ ଏତେଟା ପ୍ରାଧାନ୍ୟ, ସେହି ସିଟ୍‌ ଛାଡିବା ସମ୍ଭାବନା ଅଧିକ ଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ତେଣୁ ନବୀନ କେଉଁ ଆସନ ଛାଡି କେଉଁଟିକୁ ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ।