ବିଜେପୁରରୁ ଜିତିଲେ ମୁଖ୍ୟମନ୍ତ୍ରୀ

ବିଜେପୁର, ୨୪-୫ (ଡି.ଏନ.ଏ):ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନଭା ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ସନତ କୁମାର ଗଡତିୟାଙ୍କୁ ୫୬, ୫୩୩ ଖଣ୍ଡ ଭୋଟରେ ପରାସ୍ତ କରଛନ୍ତି। ନବୀନ ପଟ୍ଟନାୟକ ୧୦୮୮୪୮ ଭୋଟ ପାଇଥିବା ବେଳେ ସନତ କୁମାର ଗଡତିଆ ୫୨୩୧୫ ଖଣ୍ଡ ଭୋଟ ପାଇଛନ୍ତି। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ ୧୪୧୩୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ସମେତ ବହୁଜନ ସମାଜ ପାର୍ଟିରୁ ଅଶୋକ କଲେତ ଏବଂ ସ୍ବାଧୀନ ପ୍ରାର୍ଥୀ ଦ୍ୱୟ ବୀରେନ୍ଦ୍ର କୁମାର ବାଗ ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଉପନିର୍ବାଚନ ଅପେକ୍ଷା ୫୯୭୭ ଖଣ୍ଡ ଅଧିକ ଭୋଟ ପାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଉପନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀରୁ ରୀତା ସାହୁ ୧୦୨୮୭୧ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ୬୦୯୩୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦୨୭୪ ଖଣ୍ଡ ଭୋଟ ପାଇ ଅମାନତ ହରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିବାରୁ ସ୍ଥାନୀୟ ନେତା, କର୍ମୀ ଉତ୍‌ଫୁଲ୍ଲିତ ହୋଇ ଉଠିଛନ୍ତି।