ବିଜେପୁରରେ ବିଆର୍‌ସି ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ପାଇଖାନା ବିଲ୍‌ ବିବାଦ ହତ୍ୟାର କାରଣ, ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ଼ ଜିଲା ବିଜେପୁର ନିକଟ ବାଉଁଶପୋଲା ଡମ୍ପିଂୟାର୍ଡରୁ ଆରଡବ୍ଲୁଏସ୍‌ଏସ୍‌ ବିଭାଗ ଅଧୀନ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମର ଗୋଷ୍ଠୀ ସାଧନ ସଂଯୋଜକ (ବିଆର୍‌ସି) ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଯୋଜନାର ପାଇଖାନା ନିର୍ମାଣର ବିଲ୍‌ ବିବାଦକୁ ନେଇ ତାଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି ବୋଲି ମଙ୍ଗଳବାର ଅପରାହ୍ନରେ ବିଜେପୁର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ କହିଛନ୍ତି। ଉକ୍ତ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିଜେପୁର ଥାନା ଅନ୍ତର୍ଗତ ଜାମପାଲି ଗ୍ରାମର ରିକୁ ସାହୁ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମର ରମା ଓରଫ ହରିବନ୍ଧୁ ମେହେର ଏବଂ ଫକୀର ମେହେର। ସେମାନଙ୍କ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ହାତୁଡ଼ି, ପୋଡି ଯାଇଥିବା ଲାପଟପ୍‌ ଜବତ ହୋଇଛି। ଗତ ୧୨ ତାରିଖ ବିଜେପୁରର ଏକ ଭଡ଼ାଘରେ ତରଣୀସେନଙ୍କୁ ଅଭିଯୁକ୍ତ ରିକୁ ଏବଂ ରମା ହତ୍ୟା କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଫକୀର ଡମ୍ପିଂୟାର୍ଡକୁ ମୃତଦେହ ନେବାରେ ସହଯୋଗ କରିଥିଲେ ବୋଲି ଏସ୍‌ପି ସାହୁ ସୂଚନା ଦେଇଛନ୍ତି।