ବିଜେପୁରରେ ୨୬୮ଜଣ କ୍ବାରାଣ୍ଟାଇନରେ: ୧୨ ସାମ୍ପୁଲ ନେଗେଟିଭ

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଭୟ ଯେତିକି ସଚେତନତା ମଧ୍ୟ ସେତିକି। ଅଳ୍ପ କିଛି ଅମାନିଆଙ୍କୁ ଛାଡିନେଲେ ସମସ୍ତେ ପ୍ରଶାସନକୁ ସହଯୋଗ କରୁଥିବା ପରିଲକ୍ଷିତ ହେଉଛି। ବାହାରୁ ଆସିଥିବା ଲୋକ ନିଜ ଘରେ ଏକାକୀ ଜୀବନ ଅତିବାହିତ କରୁଛନ୍ତି। ଏହିକ୍ରମରେ ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା ୨୬୮ଜଣ କ୍ବାରାଣ୍ଟାଇନରେ ରହିଥିବା ଜଣାପଡିଛି। ୧୪ ଦିନ ଯାଏ ସ୍ବାସ୍ଥ୍ୟ ଟିମ୍‌ ସେମାନଙ୍କ ଘରକୁ ଯାଉଥିବାବେଳେ ପରବର୍ତ୍ତୀ ୧୪ଦିନ ସେମାନେ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧରେ ମୋବାଇଲ ଫୋନ୍‌ ମାଧ୍ୟମରେ ସ୍ବାସ୍ଥ୍ୟକର୍ମୀଙ୍କୁ ଅବଗତ କରାଉଛନ୍ତି। ଏବେ ସ୍ବାସ୍ଥ୍ୟ ଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି। ଏହି ଅଞ୍ଚଳରେ ୨୩ଟି ପଞ୍ଚାୟତରେ ଓ ବିଜେପୁର ଏନ୍‌ଏସିରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲାଯାଇଛି।
ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶାନ୍ତନୁ ସାହୁଙ୍କୁ ପଚାରିବାରୁ ଏଠି ୨୬୮ଜଣ କ୍ବାରାଣ୍ଟାଇନରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ କାହାରି ୨୮ ଦିନ ଶେଷ ହୋଇନି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପଠାଯାଇଥିବା ୧୨ଟି ସାମ୍ପୁଲ ନେଗେଟିଭ ଆସିଛି। ସ୍ବାସ୍ଥ୍ୟ ଟିମ ଘରକୁ ଘର ବୁଲୁଛନ୍ତି। ଡରିବାର କୌଣସି କାରଣ ନାହିଁ। ସମସ୍ତ ପରିସ୍ଥିତି ପାଇଁ ଆମେ ସଜାଗ ରହଛୁ ବୋଲି ସେ କହିଛନ୍ତି।

Share