ବିଜେପୁର ଉପନିର୍ବାଚନରେ ନବୀନ ଲହର: ୫୦ହଜାର ଟପି ପାରିଲାନି ଭାଜପା; ଅମାନତ ହରାଇଲା କଂଗ୍ରେସ

ବରଗଡ଼ ଅଫିସ,୨୪।୧୦: ବିଜେପୁର ଉପନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟ ଭାଜପା ଏବଂ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ଭାଜପା ପକ୍ଷରୁ ପ୍ରଚାର ଭାର ସମ୍ଭାଳିଥିବା ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଉଁ ଚ୍ୟାଲେଞ୍ଜ ଦେଇଥିଲେ, ତାହା ଲୋକେ ଗ୍ରହଣ କରି ନ ଥିବା ସ୍ପଷ୍ଟ ହୋଇଛି। ନବୀନଙ୍କଠାରୁ ଅଧିକ ଭୋଟରେ ଜିତି ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ପ୍ରାର୍ଥିନୀ ରୀତା ସାହୁ। ଅପରପକ୍ଷେ ଭାଜପା ପ୍ରାର୍ଥୀ ସନତ ଗଡ଼ତିଆ ୫୦ ହଜାର ଡେଇଁ ପାରି ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ଲଢ଼ିଥିବା ବେଳେ ସନତଙ୍କୁ ୫୩ ହଜାର ୪୮୨ ଭୋଟ ମିଳିଥିବା ବେଳେ ଏବେ ଏହି ସଂଖ୍ୟା ୩୭ ହଜାର ୯୫୫ରେ ପହଞ୍ଚିଛି।

ଧର୍ମେନ୍ଦ୍ର ପ୍ରଧାନ ବିଜେପୁରକୁ ଦୁଇଥର ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବିଜେପୁର ଆସନ ଛାଡ଼ିଲେ ଏବଂ ଉପନିର୍ବାଚନ ହେବାକୁ ପଡ଼ିଲା ସେନେଇ ଅନେକ ପ୍ରଶ୍ନ ପଚାରିଥିଲେ। ଏହାର ମୁଖ୍ୟମନ୍ତ୍ରୀ ଜବାବ ରଖି ନ ଥିଲେ ହେଁ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ଉତ୍ତର ରଖି ବିଜେପୁରରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିଲେ। ଶେଷରେ ତାହା ହିଁ ହୋଇଛି। ରେକର୍ଡ ସହ ବିଜୟିନୀ ହୋଇଛନ୍ତି ରୀତା। ବିଜେପୁରରେ ରୀତାଙ୍କ ଲୋକପ୍ରିୟତା ନୁହେଁ, ବରଂ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ିଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି।

ସେହିପରି ଏହି ଆସନରେ ଉପନିର୍ବାଚନ ପୂର୍ବରୁ ହାର ମାନି ନେଇଥିଲା କଂଗ୍ରେସ। ଦଳୀୟ ନେତାମାନେ ନିର୍ବାଚନ ଲଢ଼ିବାକୁ ଟଙ୍କା ନ ଥିବାଠାରୁ ଆରମ୍ଭ କରି ନବୀନଙ୍କ ଆଭିମୁଖ୍ୟ ଦେଖି ଜିତିବା ପରି ମନେ ହେଉ ନ ଥିବା କହିଥିଲେ। ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସ ଅମାନତ ହରାଇଥିବା ଦେଖିବାକୁ ମିଳିଛି। ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କୁ ମିଳିଛି ମାତ୍ର ୫,୮୭୬ ଭୋଟ। ୧୦ ହଜାର ଭୋଟ ଛୁଇଁ ପାରି ନ ଥିବା ଯୋଗୁ ରାଜ୍ୟରେ ପତିଆରା ଫେରି ପାଇବା ଲାଗି ଦଳକୁ ସମୀକ୍ଷା କରିବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

Share