ବିଜେପୁର ଉପନିର୍ବାଚନ: ଦଳ ଛାଡ଼ିବାର କୌଣସି ଯୋଜନା ନାହିଁ: ଅଶୋକ

ଭୁବନେଶ୍ୱର,୭ା୧୦:(ବ୍ୟୁରୋ): ୨୦୧୮ ବିଜେପୁର ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା ନେଇ ବିଭିନ୍ନ ମହଲରେ ଯେଉଁ ଆଲୋଚନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ଅଶୋକ। ଏନେଇ ରବିବାର ସ୍ପଷ୍ଟୀକରଣ ରଖି ଅଶୋକ କହିଛନ୍ତି ଯେ, ଦଳ ଛାଡିବାର କୌଣସି ଯୋଜନା ନାହିଁ। ପୂର୍ବରୁ ଯେପରି ଭାଜପାରେ ଥିଲି, ସେପରି ରହିବି। ୨୦୧୮ ଉପନିର୍ବାଚନ ହେଉ କି ଚଳିତ ବର୍ଷର ସାଧାରଣ ନିର୍ବାଚନ ସବୁ ସମୟରେ ଦଳ ପାଇଁ କାର୍ଯ୍ୟ କରିଆସିଛି। ଚଳିତ ଉପନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଅଶାୟୀ ନ ଥିଲେ ବୋଲି ଅଶୋକ ସ୍ପଷ୍ଟ କରିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଗତ ସାଧାରଣ ନିର୍ବାଚନ ଏବଂ ଚଳିତ ଉପନିର୍ବାଚନରେ ପ୍ରାର୍ଥୀ ନେଇ ଅଶୋକଙ୍କ ମତାମତ ନିଆଯାଇ ନ ଥିଲା। ଏହା ତାଙ୍କ ସମର୍ଥକଙ୍କୁ ବ୍ୟଥିତ କରିଥିଲା, ତେଣୁ ସେ ଦଳ ଛାଡିପାରନ୍ତି ବୋଲି ଚର୍ଚ୍ଚା ଧରିଥିଲା। ହେଲେ ଅଶୋକଙ୍କ ସ୍ପଷ୍ଟୀକରଣ ପରେ ସେହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି। ଅଶୋକ ୨୦୧୪ରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପରାଜୟର ପ୍ରମୁଖ କାରଣ ସାଜିଥିଲେ।

Share