ବିଜେପୁର ଉପନିର୍ବାଚନ ପୂର୍ବରୁ ଭାଜପାରେ ଅସନ୍ତୋଷ: ଅଶୋକ କହିଲେ ‘ଦଳରେ ତାଙ୍କୁ ଅଣଦେଖା କରାଯାଉଛି’

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ଭାଜପାରେ ଅସନ୍ତୋଷ ଦେଖାଦେଇଛି। ୨୦୧୮ ନିର୍ବାଚନରେ ଉକ୍ତ ଆସନରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଗୁରୁବାର ଦଳ ପ୍ରତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦଳରେ ତାଙ୍କୁ ଅଣଦେଖା କରାଯାଉଛି। ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଉନାହିଁ। ଦଳ ପକ୍ଷରୁ ଏଭଳି କାହିଁକି କରାଯାଉଛି ସେ ବୁଝିପାରୁନାହାନ୍ତି ବୋଲି ଅଶୋକ କହିଛନ୍ତି। ସେହିଭଳି ବିଜେପୁର ପାଇଁ ପ୍ରାର୍ଥୀଙ୍କୁ ନେଇ ସେ କହିଛନ୍ତି, ପ୍ରାର୍ଥୀ ଅଯୋଗ୍ୟ କି ଯୋଗ୍ୟ ତାହା ଫଳାଫଳରୁ ଜଣାପଡ଼ିବ। ବୋଧହୁଏ ପ୍ରାର୍ଥୀଙ୍କ କିଛି ପ୍ଲସ୍‌ ପଏଣ୍ଟ ଥାଇପାରେ। ସଂସଦୀୟ ବୋର୍ଡର ନିଷ୍ପତ୍ତିକୁ ମୁଁ ଚ୍ୟାଲେଞ୍ଜ କରିପାରିବି ନାହିଁ।

ସେହଭିଳି ଭାଜପା ଛାଡ଼ିବା ପ୍ରସଙ୍ଗରେ ସେ କହିଛନ୍ତି, ସେ ଭାଜପାରେ ଅଛନ୍ତି। ବିଜେଡି ପକ୍ଷରୁ ତାଙ୍କୁ କେହି ଯୋଗାଯୋଗ କରିନାହାନ୍ତି। ଦଳ ଛାଡ଼ିବା ନେଇ ଯେଉଁ କଥା ଉଠୁଛି ତାହା ଭୁଲ।ବିଜେପୁରରେ ଭାଜପା ଏବଂ ବିଜେଡି ମଧ୍ୟରେ ଲଢ଼େଇ ହେବ। ସେ ନିର୍ବାଚନରେ ଗୁଣ୍ଡୁଚିମୂଷା ଭଳି କାମ କରିବେ ବୋଲି ସେ କହିଛନ୍ତି।

Share