ବିଜେପୁର ଉପନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ କାର୍‌ରୁ ୧୯ ଲକ୍ଷ ଜବତ

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆସନ୍ତା ୨୧ ତାରିଖ ଅନୁଷ୍ଠିତ ହେବ। ଉପନିର୍ବାଚନକୁ ଅବାଧ, ନିରପେକ୍ଷ ଭାବେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ବରପାଲି ନାକାପୋଷ୍ଟରେ ଯାଞ୍ଚ କରି ପୋଲିସ ଏକ କାର୍‌ରୁ ୧୯ ଲକ୍ଷ ଟଙ୍କା ଜବତ କରିଛି। କାର୍‌ଟି ଛତିଶଗଡ଼ର ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ବୋଲି ସୂଚନା ମିଳିଛି। ତେବେ କାର୍‌ରେ ସେ କେଉଁ ଉଦ୍ଦେଶ୍ୟରେ ଏତେ ପରିମାଣର ଟଙ୍କା ନେଉଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ସେ ଏକ ରାଇସ ମିଲର ମାଲିକ ଏବଂ ବ୍ୟାବସାୟିକ କାମ ପାଇଁ ସେହି ଟଙ୍କା ନେଉଥିଲେ ବୋଲି ପରାଗ ପୋଲିସକୁ ବୟାନ ଦେଇଥିବା ଜଣାପଡ଼ିଛି। ପୋଲିସ ୧୯ ଲକ୍ଷ ଟଙ୍କା ଜବତ କରି ବରପାଲି ବିଡିଓ ସତ୍ୟନାରାୟଣ ମେହେରଙ୍କ ଜିମାରେ ରଖିଥିବା ବେଳେ କାର୍‌ ଏବଂ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଛାଡ଼ିଦେଇଛି। ଏ ନେଇ ବରପାଲି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Share