ବିଜେପୁର ଉପନିର୍ବାଚନ: ୪୩ ପଥପ୍ରାନ୍ତ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୬।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ପ୍ରଚାର ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନିଆ ଗସ୍ତରେ ବରଗଡ଼ ଆସିବେ। ବିଜେପୁର ବ୍ଳକ ଲାଉମୁଣ୍ଡା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଗୁରୁବାର ପ୍ରାୟ ସାଢେ ୧୦ଟାରେ ଓହ୍ଲାଇ ସେଠାରୁ ସେ ପ୍ରଚାର ଆରମ୍ଭ କରିବେ ବୋଲି ବୁଧବାର ବରଗଡ଼ ଏକ ହୋଟେଲ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ରାଜ୍ୟ ଉପ ସଭାପତି ତଥା ରାଜ୍ୟସଭା ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୋଡ ଶୋ’ରେ ବାହାରି ବିଜେପୁର, ବରପାଲି ଏବଂ ଗାଇସିଲେଟ ବ୍ଲକରେ ସମୁଦାୟ ୪୩ଟି ପଥପ୍ରାନ୍ତ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଥମ ଦିବସରେ ସାଢ଼େ ୭ଘଣ୍ଟା ଏବଂ ଦ୍ବିତୀୟ ଦିବସରେ ପ୍ରାୟ ୪ଘଣ୍ଟାର ପ୍ରଚାର କାର୍ଯ୍ୟକ୍ରମ ରହିଥିବା ଆଚାର୍ଯ୍ୟ କହିଥିଲେ। ବରଗଡ଼ ପିଡବ୍ଲୁଡି ଡାକବଙ୍ଗଳାରେ ମୁଖ୍ୟମନ୍ତ୍ରୀ ଗୁରୁବାର ରାଡ୍ରିଯାପନ କରିବେ ଏବଂ ଶୁକ୍ରବାର ଗାଇସିଲେଟ ବ୍ଲକରେ ପ୍ରଚାର ସାରି ଅପରାହ୍ନରେ ନବୀନ ନିବାସ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଖବରଦାତା ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା ଏବଂ ବରଗଡ଼ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Share