ବିଜେପୁର ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି : ସଞ୍ଜୟ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଭାଜପା, କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବାବେଳେ ରବିବାର ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାଶବର୍ମା ମତ ରଖିଛନ୍ତି। ସେ କହିଛନ୍ତି, ସୋମବାର ବିଜେଡିର ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ବିଜେପୁର ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଆଶାୟୀ ପ୍ରାର୍ଥୀଙ୍କ ମତାମତ ଲୋଡ଼ାଯିବ। ଏହା ପରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନମଣ୍ଡଳୀ ଲାଗି ୨୧ରେ ଭୋଟ ଗ୍ରହଣ ହେବ। ୨୮୫ ବୁଥ୍‌ରେ ୨ ଲକ୍ଷ ୩୨ ହଜାର ୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୪ ତାରିଖରେ ଭୋଟ ଗଣତି କରାଯିବ।

Share