ବିଜ୍ଞାନ ସମ୍ବନ୍ଧୀୟ ଚଳଚ୍ଚିତ୍ର ଦେଖିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୬।୧୧(ବ୍ୟୁରୋ):ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଭୁବନେଶ୍ୱର ଓ କଟକର ବିଭିନ୍ନ ସ୍କୁଲ ଓ କଲେଜର ମୋଟ ୧୦୦ ଛାତ୍ରୀଛାତ୍ର ପ୍ରତିଦିନ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇବେ। ‘ଏଲିଫାଣ୍ଟ: ଆଷ୍ଟ୍ରୋନଟ୍‌’ ଫିଲ୍ମରୁ ଆରମ୍ଭ ହୋଇଥିଲା ଏହି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ। ଏହି ଚଳଚ୍ଚିତ୍ରରେ ମହାକାଶଚାରୀଙ୍କ ସହ ଏକ କଣ୍ଢେଇ ହାତୀ ମହାକାଶକୁ ଯାତ୍ରା କରିଥିଲା, ଯାହା ପିଲାଙ୍କୁ ଅଧିକ ଆକୃଷ୍ଟ କରିିଥିଲା। ୫ରୁ ୮ବର୍ଷର ପିଲାମାନେ ଏହି ଚଳଚ୍ଚିତ୍ର ଦେଖିଥିଲେ। ଏହାପରେ ୫୪ମିନିଟ୍‌ର ଚଳଚ୍ଚିତ୍ର ‘ନୋଭା ଓ୍ବଣ୍ଡର୍ସ: କ୍ୟାନ୍‌ ଉଇ ମେକ୍‌ ଲାଇଫ୍‌?’ ପ୍ରଦର୍ଶିତ ହୋଇଥିଲା। ଏହାକୁ ୧୨ରୁ ୧୬ବର୍ଷ ବୟସର ପିଲାମାନେ ଦେଖିଥିଲେ। ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଏହି ବିଜ୍ଞାନ ଚଳଚ୍ଚିତ୍ର ଉତ୍ସବ ଚାଲିବ। ବୁଧବାର ଦିନ ୯ରୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ୧୧ମିନିଟ୍‌ର ‘ଫ୍ୟୁଚର ଓ୍ବିଦ୍‌ଆଉଟ୍‌ ପ୍ଲାଷ୍ଟିକ୍‌’, ୧୭ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାମାନଙ୍କ ପାଇଁ ୫୨ମିନିଟ୍‌ର ‘ଗ୍ରୀନ୍‌ ଓ୍ବାରିୟର୍ସ: ସାଉଥ୍‌ ଆଫ୍ରିକା, ଟକ୍ସିକ୍‌ ଟାଉନ୍‌ଶିପ୍‌ସ’ ପ୍ରଦର୍ଶିତ ହେବ।

Share