ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ନିର୍ବାଚନରେ ବଡ଼ ବିଜୟ ହାସଲ ସହ ଏଏପି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଏଏପି ବିଜୟର କେତେକ କାରଣ ନିମ୍ନରେ ଦିଆଗଲା। ୧- ଜାତୀୟ ରାଜନୈତିକ ପ୍ରସଙ୍ଗ ଅପେକ୍ଷା ସ୍ଥାନୀୟ ପ୍ରସଙ୍ଗକୁ ଦିଲ୍ଲୀବାସୀ ଅଗ୍ରାଧିକାର ଦେଲେ। ଗତ ୫ ବର୍ଷରେ କେଜ୍‌ରିଓ୍ବାଲ ସରକାର ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାଣି ଯୋଗାଣରେ ନେଇଥିବା ପଦକ୍ଷେପ ସମ୍ପର୍କିତ ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲା।
୨- ନିର୍ବାଚନ ପ୍ରଚାର ବେଳେ ଭାଜପା ସିଏଏ ପ୍ରସଙ୍ଗକୁ ଜୋର୍‌ଦାର ଉଠାଇଥିବାବେଳେ କେଜ୍‌ରିଓ୍ବାଲ ଓ ତାଙ୍କ ଦଳର ନେତାମାନେ ସିଏଏ ବିରୋଧୀ ବିକ୍ଷୋଭ ଓ ଶାହିନବାଗ୍‌ ଆନ୍ଦୋଳନଠାରୁ ସୁରକ୍ଷିତ ଦୂରତା ବଜାୟ ରଖିଥିଲେ।
୩- ଭାଜପା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇ ନ ପାରି ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ମୁଖ୍ୟ ଜାତୀୟ ପ୍ରସଙ୍ଗ ଉପରେ ନିର୍ଭରଶୀଳ ଥିଲା, ଯାହା କାମ ଦେଲାନାହିଁ।
୪- ଭାଜପା ପ୍ରଚାରର ନେତୃତ୍ୱ ନେଇଥିବା ମନୋଜ ତିଓ୍ବାରୀ ଦିଲ୍ଲୀ ବାହାର ଲୋକ। ଭାଜପା ରାଜ୍ୟ ଶାଖାରେ ଅନ୍ତଃକନ୍ଦଳ ଓ ଲୋକପ୍ରିୟ ନେତାଙ୍କ ଅଭାବ ଏଏପିକୁ ସୁହାଇଲା।
୫- ଦିଲ୍ଲୀରେ ରାଜନୈତିକ ବିଶ୍ୱସନୀୟତା ହରାଇଥିବା କଂଗ୍ରେସ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଧମାକାଦାର ପ୍ରଚାର କରିବାରେ ମଧ୍ୟ ବିଫଳ ହୋଇଥିଲା। ଅନ୍ୟପକ୍ଷରେ ଭାଜପା ଓ ଏଏପି ବିରୋଧୀ ଭୋଟ କଂଗ୍ରେସକୁ ଆସିବ ବୋଲି ଦଳ ଆଶାବାଦୀ ଥିଲା।
୬- ଶାହିନବାଗ ବିକ୍ଷୋଭରୁ ଭାଜପା ନିର୍ବାଚନୀ ଫାଇଦା ହାସଲ କରିପାରିଲା ନାହିଁ।

ଏଏପି ୫୩.୬%, ଭାଜପା ୩୮.୫%

ବିଧାନସଭା ନିର୍ବାଚନରେ ୬୨ ଆସନ ଜିତିଥିବା ଏଏପିକୁ ୫୩.୬ ପ୍ରତିଶତ ଭୋଟ ମିଳିଛି। ୨୦୧୫ରେ ଏଏପିକୁ ୫୪.୩୪ ପ୍ରତିଶତ ଭୋଟ ମିଳିଥିଲା। ଭାଜପା ୮ ଆସନରେ ବିଜୟୀ ହୋଇଥିବାବେଳେ ଏହାର ଭୋଟହାର ୩୮.୫ ପ୍ରତିଶତ ରହିଛି। ୨୦୧୫ ବିଧାନସଭା ନିର୍ବାଚନରେ ଭାଜପା ୩ଟି ଆସନରେ ବିଜୟୀ ହେବା ସହ ୩୨.୧୯ ପ୍ରତିଶତ ଭୋଟ ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଆଦୌ ଆସନ ଜିତିବାରେ ସଫଳ ହୋଇ ନ ଥିବାବେଳେ ଏହି ସର୍ବପୁରାତନ ଦଳର ଭୋଟ ହାର ୪.୩ ପ୍ରତିଶତ ରହିଛି।

Share