Categories: ଜାତୀୟ

ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ରାଫାଲ ବିମାନ, ‘ଓଁ’ ଲେଖି ପୂଜାର୍ଚ୍ଚନା କଲେ ରାଜନାଥ

ନୂଆଦିଲ୍ଲୀ,୮।୧୦: ବିଜୟାଦଶମୀ ଉପଲକ୍ଷେ ଭାରତକୁ ପ୍ରଥମ ଆର୍‌ବି-୦୦୧ ରାଫାଲ ବିମାନ ମିଳିଛି। ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ବୁଧବାର ଭାରତକୁ ଫ୍ରାନ୍ସ ଯୁଦ୍ଧ ବିମାନ ହସ୍ତାନ୍ତର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିମାନରେ ଓଁ ଲେଖି ପୂଜାର୍ଚ୍ଚନା କରିବା ପରେ ବିମାନଟି ଉଡାଣ ଭରିବ ବୋଲି ଜଣାପଡ଼ିଛି।

ଏହି ଅବସରରେ ରାଜନାଥ କହିଛନ୍ତି, ଏହା ଭାରତୀୟ ସେନା ପାଇଁ ଐତିହାସିକ ଦିନ। ଆଜିର ଦିନରେ ଭାରତରେ ଶତ୍ରୁ ଉପରେ ବିଜୟ ହାସଲ କରିବାର ଦିନ। ଏଥିସହ ଆଜି ୮୭ତମ ବାୟୁସେନା ଦିବସ। ଏହି ଚୁକ୍ତିଦ୍ୱାରା ଭାରତ-ଫ୍ରାନ୍ସ ମଧ୍ୟରେ ରାଜନୈତିକ ସମ୍ପର୍କ ମଜଭୂତ ହୋଇଛି। ୩୬ଟି ରାଫାଲ ବିମାନ ଲାଗି ୨୦୧୬ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଏବେ ଏହା ଠିକ୍‌ ସମୟରେ ଭାରତକୁ ମିଳିବ। ଏହାଦ୍ୱାରା ବାୟୁସେନାର କ୍ଷମତା ବଢ଼ିବ। ରାଫାଲ ଅର୍ଥ ତୋଫାନ। ନିଜ ନାମ ଅନୁସାରେ ଏହା ବାୟୁସେନାକୁ ମଜଭୂତ କରିବ ବୋଲି ସେ କହିଛନ୍ତି।

ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା ରାଫାଲ ଦ୍ୱାରା ଭାରତ ଶତ୍ରୁମାନଙ୍କ ମନରେ ଆତଙ୍କ ସୃଷ୍ଟି କରିବ। ଆସନ୍ତା ବର୍ଷ ମେ’ ସୁଦ୍ଧା ଏହା ଭାରତ ଆସିବ।

Share