ବିଜୟା ଦଶମୀରେ ନୀଳମାଧବ ଜୀଉଙ୍କୁ ଶଙ୍ଖ, ଚକ୍ର ସମର୍ପଣ

ଖଣ୍ଡପଡା,୧୦।୧୦(ସ୍ବ.ପ୍ର.): ମହିଷାସୁରର ନିଧନ ପାଇଁ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ଶଙ୍ଖ, ଚକ୍ର ଆୟୁଧ ମଙ୍ଗଳବାର ବିଜୟା ଦଶମୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କୁ ସମର୍ପଣ କରାଯାଇଛି । ପାରମ୍ପରିକ ରୀତିରେ ଏହି ତିଥିରେ ଶ୍ରୀ ନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କୁ ମନ୍ଦିର ବେଢା ପରିକ୍ରମା କରାଇ ସିଂହଦ୍ୱାରସ୍ଥ ଦୋଳ ବେଦିକୁ ବିଜେ କରାଯାଇଥିଲା । ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା ପରେ ରାତି ପ୍ରାୟ ୯ଟାରେ ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଛତ୍ରୀ, ମଶାଲ, ସଂକୀର୍ତ୍ତନ ଓ ପାଟପଟୁଆର ସହିତ ବିମାନରେ ଆରୂଢ କରାଯାଇ ମହାନଦୀ ଓ କମେଇ ନଦୀ ସଙ୍ଗମ ସ୍ଥଳ ଠାକୁରଙ୍କ ଦଶହରା ପଡିଆକୁ ବିଜେ କରାଯାଇଥିଲା । ସେଠାରେ ପୁନଶ୍ଚ ପୂଜାର୍ଚ୍ଚନା ସହ ସନ୍ଧ୍ୟା ଆଳତି ଓ ସପ୍ତାଳତି କାଯର୍‌ୟକ୍ରମ ସମାପନ ହେବା ପରେ ପାରମ୍ପରିକ ରୀତିରେ ତୋପ ଫୁଟା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପୂଜାରୀ ଭାବେ ତ୍ରିନାଥ ମିଶ୍ର ଓ ପତ୍ରୀ ଭାବେ ଶ୍ରବଣରାମ ମିଶ୍ର ପୂଜାକର୍ମ ପରିଚାଳନା କରିଥିଲେ । ଦଶହରା ପଡିଆରେ ଉପସ୍ଥିତ ଥିବା ଗ୍ରାମବାସୀ ଓ ଶ୍ରଦ୍ଧାଳୁ ସାଙ୍ଗରେ ଆଣିଥିବା ନୂତନ ଖାତା ଓ କାଗଜରେ ଶ୍ରୀ ଜୀଉ ଓ ମା’ଦୁର୍ଗାଙ୍କୁ ସୁମରଣା କରି ଆରମ୍ଭରେ ଓମ୍‌ ଶଦ୍ଦ ଲେଖି ଦଶହରା ଅନୁକୂଳ କରିଥିଲେ । ଶ୍ରୀଜୀଉଙ୍କୁ ଶଙ୍ଖ ଚକ୍ର ସମର୍ପଣ ଓ ତୋପ ଫୁଟାଇବାର ପରମ୍ପରା ସମ୍ପର୍କରେ କୁହାଯାଏ, ପ୍ରବଳ ପ୍ରତାପୀ ମହିଷାସୁରର ନିଧନ ପାଇଁ ସମସ୍ତ ଦେବଦେବୀ ମା’ଦୁର୍ଗାଙ୍କୁ ସେମାନଙ୍କର ଆୟୁଧ ପ୍ରଦାନ କରିଥିଲେ । ଶ୍ରୀ ବିଷ୍ଣୁ ମଧ୍ୟ ତାଙ୍କର ଆୟୁଧ ଶଙ୍ଖ ଚକ୍ର ପ୍ରଦାନ କରିଥିଲେ । ମା’ଦୁର୍ଗା ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ଏକ ସନ୍ଧିକ୍ଷଣରେ ମହିଷାସୁରକୁ ନିଧନ କରିଥିଲେ । ନବମୀ ପୂଜା ପରେ ଦଶମୀ ତିଥିରେ ମା’ଦୁର୍ଗାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଆୟୁଧ ସମ୍ପୃକ୍ତ ଦେବତାଙ୍କୁ ସମର୍ପଣ କରାଯାଇଥିଲା । ଅପରପକ୍ଷେ ଚାଷୀମାନେ ଭାଦ୍ରବ ଓ ଆଶ୍ୱିନ ଏହି ଦୁଇ ମାସରେ ଧାନ ଫସଲ କରି ବସି ରହିଥାନ୍ତି । ଦଶହରା ପଡିଆରେ ତୋପ ଫୁଟିବା ପରଠାରୁ ଆଖ ପାଖ ଅଞ୍ଚଳର ସମସ୍ତ ଚାଷୀ ରବି ଫସଲ ପାଇଁ ଚାଷ ଅନୁକୂଳ କରିଥାନ୍ତି ବୋଲି କୁହାଯାଏ । ଶ୍ରୀ ଜୀଉ ଦଶହରା ପଡିଆରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଫକୀର ଅତବୁଦ୍ଧି ପାଟଣା, ଛାମୁପାଟଣା ଆଦି ସାହିରେ ଚାଚେରୀ ଭୋଗ ଖାଇ ମନ୍ଦିରକୁ ପହଡ ପାଇଁ ବିଜେ ହୋଇଥିଲେ ।

Share