Advertisement
Categories: ମେଟ୍ରୋ

ବିଜୟୀ ହେବା ପରେ ମା’ମଙ୍ଗଳାଙ୍କଠାରୁ ଆଶୀର୍ବାଦ ନେଲେ ତୁଷାରକାନ୍ତି

କାକଟପୁର, ୨୪।୫(ଡି.ଏନ୍‌.ଏ.): କାକଟପୁରର ବିଧାୟକ ଭାବେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ବିଜୟୀହେବା ପରେ ଶୁକ୍ରବାର ମା’ ମଙ୍ଗଳାଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଶୁକ୍ରବାର ତୁଷାର କାକଟପୁରରେ ପହଞ୍ଚିବା ପରେ ବସ୍‌ଷ୍ଟାଣ୍ଡସ୍ଥିତ ପଦ୍ମଚରଣ ଟ୍ରଷ୍ଟ କାର୍ଯ୍ୟାଳୟଠାରେ ତାଙ୍କୁ ଦଳୀୟ କର୍ମୀମାନେ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଥିବା ପ୍ରବାଦପୁରୁଷ ସ୍ବର୍ଗତ ବିଜୁବାବୁ ଏବଂ ପଦ୍ମଚରଣ ସାମନ୍ତସିଂହାରଙ୍କ ପ୍ରତିମୂର୍ତ୍ତିରେ ସେ ଫୁଲମାଳ ପିନ୍ଧାଇଥିଲେ। ପରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଅଭୟ ସେଠୀ, କବିରାଜ ବିଶ୍ୱାଳ ପ୍ରମୁଖ ଶତାଧିକ ବିଜେଡି କର୍ମୀଙ୍କ ଗହଣରେ ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ଚାଲିଚାଲି ତୁଷାରକାନ୍ତି ମଙ୍ଗଳା ମନ୍ଦିରକୁ ଯାଇଥିଲେ। ମନ୍ଦିରରୁ ସେ ଭୁବନେଶ୍ୱରସ୍ଥିତ ନବୀନ ନିବାସ ଅଭିମୁଖେ ଯାତ୍ରା କରିଛନ୍ତି।
ପ୍ରକାଶ ଯେ, ତୁଷାରକାନ୍ତି ପ୍ରାୟ ୪୫,୬୦୭ ଖଣ୍ଡ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାସ୍ତକରି ବିଜୟୀ ହୋଇଛନ୍ତି। କାକଟପୁରରେ ବିଜେଡି ଜିତିଥିବାରୁ ଦଳୀୟ କର୍ମୀ ମହଲରେ ଆନନ୍ଦ ଖେଳିଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share