Categories: ଖେଳ

ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ, ୧।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ପୁରୁଷ ଡବଲ୍ସରେ ଭାଇ ଜେମିଙ୍କୁ ସାଥୀ କରି ଖେଳୁଥିବା ଆଣ୍ଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମୁରେ ଭ୍ରାତା ଯୋଡ଼ି ୬-୪, ୬-୭ (୭/୯), ୧୦-୫ ସେଟ୍‌ରେ ଫ୍ରାନ୍ସ ଯୋଡ଼ିଦାର ନିକୋଲାସ ମାହୁଟ୍‌ ଓ ଏଡୁରାର୍ଡ ରୋଜର ଭାସେଲିନଙ୍କୁ ହରାଇଛନ୍ତି। ୨୦୧୬ ଅଲିମ୍ପିକ୍ସ ପରେ ପ୍ରଥମଥର ପାଇଁ ମୁରେ ଭ୍ରାତା ଏକାଠି ଖେଳିଛନ୍ତି। ୩୨ ବର୍ଷୀୟ ମୁରେ ସମ୍ଭବତଃ ସିନ୍‌ସିନାଟି ଓପନ୍‌ ଜରିଆରେ ସିଙ୍ଗଲ୍ସ ଇଭେଣ୍ଟକୁ ଫେରିବା ରିପୋର୍ଟ ପ୍ରକାଶ ପାଇଛି। ଶେଷଥର ପାଇଁ ସେ ଜାନୁୟାରୀରେ ଅଷ୍ଟ୍ରେଲିଆ ଓପନ୍‌ ସିଙ୍ଗଲ୍ସ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ମୁରେ ୨୦୧୨ରେ ୟୁଏସ୍‌ ଓପନ୍‌ ଏବଂ ୨୦୧୩ ଓ ୨୦୧୬ରେ ଓ୍ବିମ୍ବେଲଡନରେ ଚାମ୍ପିୟନ ହୋଇଥିଲେ।
ପେସ୍‌, ବୋପାନ୍ନା ହାରିଲେ:
ଦୁଇ ଭାରତୀୟ ଭେଟେରାନ ଖେଳାଳି ଲିଆଣ୍ଡର ପେସ୍‌ ଓ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ପରାଜରବରଣ କରିଛନ୍ତି। ଜ୍ୟାକ୍‌ ସକ୍‌କୁ ସାଥୀ କରି ଖେଳିଥିବା ପେସ୍‌ ୫-୭, ୨-୬ ସେଟ୍‌ରେ ଅଷ୍ଟ୍ରେଲିଆ ଯୋଡ଼ିଦାର ଆଲେକ୍ସ ଡଇ ମିନାଉର୍‌ ଓ ଜନ୍‌ ପିୟର୍ସଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ସେହିଭଳି ଫ୍ରାନ୍ସର ବେନୋଇଟ୍‌ ପାଇରେଙ୍କୁ ସାଥୀ କରି କୋଟ୍‌କୁ ଓହ୍ଲାଇଥିବା ବୋପାନ୍ନା ୬-୨, ୩-୬, ୭-୧୦ରେ ମାଥ୍ୟୁ ଏବ୍‌ଡେନ୍‌ ଓ ନିକୋଲାସ ମୋନରେଙ୍କଠାରୁ ପରାସ୍ତ ହୋଇଛନ୍ତି।

Share