Categories: ଖେଳ

ବିଜୟ ସୁନିଶ୍ଚିତ ଦେଖି ଉତ୍ସବ ମନାଇବା ଅନୁଚିତ

କ୍ରୀଡ଼ାରେ ବିଜୟ ସୁନିଶ୍ଚିତ ଦେଖି ଉତ୍ସବ କିମ୍ବା ସେଲିବ୍ରେଶନ କରିବା କଦାପି ଉଚିତ ନୁହେଁ। ଏହା ମହଙ୍ଗା ପଡ଼ିପାରେ। ଟ୍ରେନିଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପ୍ରତ୍ୟେକ କୋଚ୍‌ଙ୍କ ପ୍ରାଥମିକ କାର୍ଯ୍ୟ। ବିଶ୍ୱ କ୍ରୀଡ଼ାରେ ଏହାର ବହୁ ଉଦାହରଣ ରହିଛି। ସବୁଠୁ ବଡ଼ ଘଟଣା ହେଉଛି, ରିଓ ଅଲିମ୍ପିକ୍ସରେ ଜଣେ କୁସ୍ତିଯୋଦ୍ଧା ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବିଜୟ ସୁନିଶ୍ଚିତ ଜାଣି ସମୟ ଶେଷ ହେବା ପୂର୍ବରୁ ଉଲ୍ଲସିତ ହୋଇ ନାଚିବା ଆରମ୍ଭ କରିଥିଲେ। ଖେଳୁଆଡ଼ ମନୋଭାବ ପୋଷଣ ନ କରିଥିବାରୁ ତାଙ୍କୁ ରେଫରି ଡିସକ୍ୱାଲିଫାଏ ଘୋଷଣା କରିଥିଲେ। ଫଳରେ ତାଙ୍କର ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ହାତଛଡ଼ା ହୋଇଥିଲା। ମଙ୍ଗୋଲିଆ ରେସଲର ଗାନ୍‌ଜୋରିଗିନ ମାନ୍‌ଦାଖନରାନ ଓ ତାଙ୍କ କୋଚ୍‌ ମ୍ୟାଟରେ ନିଜ ଶାର୍ଟ-ପ୍ୟାଣ୍ଟ ଖୋଲି ରେଫରିଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିନେଇ ତାଙ୍କୁ ବ୍ୟାନ କରାଯିବା ସହ ଦେଶର ରେସ୍‌ଲିଂ ଆସୋସିଏଶନକୁ ବଡ଼ ଜରିମାନା ଦେବାକୁ ପଡ଼ିଥିଲା। ଆଉ ଏକ ଘଟଣା ଘଟିଥିଲା ଭାରତରେ ଅନୁଷ୍ଠିତ ୨୦୧୬ ଟି୨୦ ବିଶ୍ୱକପ୍‌ରେ। ପ୍ରାୟ କ୍ରିକେଟ ଫ୍ୟାନ୍‌ଙ୍କ ମନରେ ଏବେ ମଧ୍ୟ ଉଜ୍ଜୀବିତ ଥିବ। ଲିଗ୍‌ ପର୍ଯ୍ୟାୟରେ ଭାରତ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶକୁ ଜିତିବା ପାଇଁ ୪ ବଲରେ ୬ ରନ୍‌ ଦରକାର ଥାଏ। ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୃତୀୟ ବଲକୁ ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ ଚୌକା ମାରିବା ପରେ ନାଚିବା ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ଦୁଇ ବଲରେ ମୁଶଫିକର ଓ ମେହମ୍ମୁଦୁଲା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଅନ୍ତିମ ବଲରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଉଇକେଟ ପଛରୁ ରନଆଉଟ୍‌ କରିଥିଲେ। ଫଳରେ ଭାରତ ମାତ୍ର ୧ ରନ୍‌ରେ ବିଜୟୀ ହୋଇ ସେମିଫାଇଲରେ ପ୍ରବେଶ କରିଥିଲା।

Share