Categories: ଖେଳ

ବିଜୟ ସ୍ବାଦ ଚାଖିଲା ନ୍ୟୁଜିଲାଣ୍ଡ

ହାମିଲଟନ, ୫।୨- କ୍ରମାଗତ ୫ ଟି୨୦ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ନ୍ୟୁଜିଲାଣ୍ଡ ଭାରତ ବିପକ୍ଷରେ ପ୍ରଥମ ଥର ବିଜୟ ସ୍ବାଦ ଚାଖିଛି। ବୁଧବାର ସେଡନ ପାର୍କଠାରେ ଅନୁଷ୍ଠିତ ଏକ ହାଇ ସ୍କୋରିଂ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ପରାସ୍ତ କରିଛି। ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ରେ ବିଜୟୀ ଦଳ ପାଇଁ ଅପରାଜିତ ଶତକୀୟ ପାଳି ଖେଳିଥିବା ରସ ଟେଲରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ଶ୍ରେୟାସ ଆୟାରଙ୍କ ଶତକ ବଳରେ ୪ ଉଇକେଟ ହରାଇ ୩୪୭ ରନ୍‌ କରିଥିଲା। ଦଳ ପାଇଁ ଆୟାର ୧୦୩, ଲୋକେଶ ରାହୁଲ ୮୮* ଓ ଅଧିନାୟକ ବିରାଟ କୋହଲି ୫୧ ରନ୍‌ କରିଥିଲେ। ଘରୋଇ ଦଳ ପକ୍ଷରୁ ଟିମ ସୌଦି ୨ ଉଇକେଟ ହାତେଇଥିଲେ। ଜବାବରେ ଟେଲର ଅପରାଜିତ ଶତକ, ଅଧିନୟକ ଟମ ଲଥାମ ଓ ହେନ୍‌ରୀ ନିକୋଲାସଙ୍କ ଅର୍ଦ୍ଧଶତକ ଯୋଗୁ ନ୍ୟୁଜିଲାଣ୍ଡ ୪୮.୧ ଓଭରରେ ୬ ଉଇକେଟ ହରାଇ ବିଜୟଲକ୍ଷ୍ୟ ୩୪୮ ରନ୍‌ ହାସଲ କରିନେଇଥିଲା। ଦଳ ଲାଗି ଟେଲର ସର୍ବାଧିକ ୧୦୯*, ନିକୋଲାସ ୭୮ ଓ ଅଧିନାୟକ ଲଥାମ ୬୯ ରନ୍‌ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ୨ ଉଇକେଟ ହାସଲ କରିଥିବାବେଳେ ମହମ୍ମଦ ଶାମି ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ଅର୍ଜନ କରିଥିଲେ।

Share