Categories: ଖେଳ

ବିଜୟ ହଜାରେ ଟ୍ରଫି: କର୍ନାଟକ-ତାମିଲନାଡ଼ୁ ଫାଇନାଲ

ବେଙ୍ଗାଲୁରୁ, ୨୩।୧୦ (ପି.ଟି.):  କର୍ନାଟକ ଓ ତାମିଲନାଡ଼ୁ ମଧ୍ୟରେ ବିଜୟ ହଜାରେ ଟ୍ରଫି ଅଷ୍ଟାଦଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। ବୁଧବାର ଖେଳାଯାଇଥିବା ଉଭୟ ସେମିଫାଇନାଲରେ କର୍ନାଟକ ଓ ତାମିଲନାଡ଼ୁ ଯଥାକ୍ରମେ ଛତିଶଗଡ଼ ଓ ଗୁଜରାଟକୁ ପରାସ୍ତ କରି ଟ୍ରଫି ଲଢ଼େଇକୁ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଆସନ୍ତା ଶୁକ୍ରବାର ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

ସେମିଫାଇନାଲରେ ଛତିଶଗଡ଼କୁ ୯ ଉଇକେଟ୍‌ର ବୃହତ୍‌ ବ୍ୟବଧାନରେ ପରାସ୍ତ କରି କର୍ନାଟକ ବିଜୟ ଟ୍ରଫି ଇତିହାସରେ ୪ର୍ଥ ଥର ଲାଗି ଫାଇନାଲରେ ସ୍ଥାନ ପକ୍କା କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଛତିଶଗଡ଼ ଅମନଦୀପ୍‌ ଖାରେ (୭୮), ସୁମିତ୍‌ ରୁଇକର (୪୦) ଓ ଅଧିନାୟକ ହର୍‌ପ୍ରୀତ୍‌ ସିଂ (୨୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୪୯.୪ ଓଭରରେ ୨୨୩ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଘରୋଇ କର୍ନାଟକ ଦଳର ଭି. କୌଶିକ ୪ ଏବଂ ଅଭିମନ୍ୟୁ ମିଥୁନ, କ୍ରିଷ୍ଣାପ୍ପା ଗୋଥାମ ଓ ପ୍ରବୀଣ ଦୁବେ ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ କର୍ନାଟକ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ (ଅପରାଜିତ ୮୮ ରନ, ୧୧୧ ବଲ୍‌, ୬ ଚୌକା, ୧ ଛକା) ଓ ସାଥୀ ଓପନିଂ ବ୍ୟାଟ୍ସମ୍ୟାନ ଦେବଦୁତ୍ତ ପାଡିକ୍କଲ (୯୨ ରନ, ୯୮ ବଲ)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୦ ଓଭରରେ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ମୟଙ୍କ ଅଗ୍ରଓ୍ବାଲ ୪୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

ଷଷ୍ଠ ଥର ପାଇଁ ଫାଇନାଲରେ ତାମିଲନାଡ଼ୁ –
ସେହିଭଳି ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ସେମିଫାଇନାଲରେ ତାମିଲନାଡ଼ୁ ୫ ଉଇକେଟ୍‌ରେ ଗୁଜରାଟକୁ ମାତ୍‌ ଦେଇଛି। ଏଥିସହ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ ତାମିଲନାଡ଼ୁ ୬ଷ୍ଠ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚତ୍ଛି। ବର୍ଷା ଯୋଗୁ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା। ଗୁଜରାଟ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍‌ରେ ୧୭୭ ରନ କରିଥିଲା। ଧ୍ରୁବ ରାଭାଲ ୪୦, ଅକ୍ଷର ପଟେଲ ୩୭, ଚିନ୍ତନ ଗାଜା ୨୪* ଓ ଅଧିନାୟକ ପାର୍ଥତ୍ବ ପଟେଲ ୧୩ ରନ କରିଥିଲେ। ଜବାବରେ ତାମିଲନାଡ଼ୁ ଶାହରୁଖ ଖାଁ (୫୬*), ଦୀନେଶ କାର୍ତ୍ତିକ (୪୭), ଅଭିନବ ମୁକୁନ୍ଦ (୩୨) ଓ ଓ୍ବାଶିଂଟନ ସୁନ୍ଦର (୨୭*)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୫ ଉଇକେଟ୍‌ ଓ ଗୋଟିଏ ଉଇକେଟ୍‌ ହାତରେ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା।

Share