Categories: ଖେଳ

ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ

ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍‌ ଜିତି ପୁଡୁଚେରୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଆସାମ ୩୬.୧ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଥିଲା। ଦଳ ତରଫରୁ ଓପନର ପଲବ କୁମାର ଦାସ ୨୭, ଅଧିନାୟକ ଶିବଶଙ୍କର ରଏ ୨୪, ସ୍ବରୁପମ ପୁରୁକାୟସ୍ତ ୧୪, ଗୋକୁଳ ଶର୍ମା ୧୯ ରନ କରିଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ପୁଡୁଚେରୀ ତରଫରୁ ଅଶିଷ୍ଠ ରାଜୀବ ସର୍ବାଧିକ ୪, ସୁରେଶ କୁମାର ଓ ସାଗର ଉଡେଶୀ ଦୁଇଟି ଲେଖାଏ, ଫାବିଦ ଅହମ୍ମଦ ଓ ସାଗର ତ୍ରିବେଦୀ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଜବାବରେ ପୁଡୁଚେରୀ ବ୍ୟାଟିଂ ଆରମ୍ଭ କରି ୨୨ ଓଭରରେ ୫ ଉଇକେଟ ହରାଇ ୧୧୬ ରନ କରି ବିଜୟୀ ହୋଇଛି। ପାରସ ଡୋଗ୍ରା ୪୪ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରୁଣ କାର୍ତ୍ତିକ ୧୫, ବିନୟ କୁମାର ୧୭, ଏସ୍‌. କାର୍ତ୍ତିକ ୧୦ ରନକରି ଆଉଟ ହୋଇଥିଲେ। ସୁରେଶ କୁମାର ୧୪ ଓ ଭି. ମାରିମୁଥୁ ୫ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ବୋଲିଂରେ ଆସାମ ତରଫରୁ ପ୍ରିତମ ଦାସ ୨, ଅରୁପ ଦାସ, ଆବୁ ନେଚିମ, ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

Share