Categories: ଖେଳ

ବିଜୟ ହଜାରେ ଟ୍ରଫି: ତାମିଲନାଡ଼ୁକୁ ଜିତାଇଲେ ମୁକୁନ୍ଦ, କାର୍ତ୍ତିକ

ଜୟପୁର, ୨୪।୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ମଙ୍ଗଳବାରଠାରୁ ଘରୋଇ ଏକଦିବସୀୟ କ୍ରିକେଟ୍‌ ପ୍ରତିଯୋଗିତା ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ତାମିଲନାଡ଼ୁ ୬ ଉଇକେଟ୍‌ରେ ଘରୋଇ ରାଜସ୍ଥାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଅର୍ଜିତ ଗୁପ୍ତା (୭୭ ରନ) ଓ ରାହୁଲ ଚହର (୪୮)ଙ୍କ ଉପଯୋଗୀ ଇନିଂସ ବଳରେ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୬୧ ରନ କରିଥିଲା। ଜବାବରେ ତାମିଲନାଡ଼ୁ ଓପନର୍‌ ଅଭିନବ ମୁକୁନ୍ଦ (୭୫), ବାବା ଅପରାଜିତ (୫୨) ଓ ଅଧିନାୟକ ତଥା ଭେଟେରାନ ଉଇକେଟ୍‌କିପର ଦୀନେଶ କାର୍ତ୍ତିକ (୫୨*)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୪୮ ଓଭରରେ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଶାହରୁଖ ଖାଁ ମଧ୍ୟ ୩୯ ବଲରୁ ୪୮ ରନ କରି ଅପରାଜିତ ରହିଥିଲେ। ବିଜୟ ସହ ତାମିଲନାଡ଼ୁ ସମ୍ପୂର୍ଣ୍ଣ ୪ ପଏଣ୍ଟ ହାସଲ କରିଛି।

ଗ୍ରୁପ୍‌-ସି’ର ଅନ୍ୟ ଏକ ମ୍ୟାଚ୍‌ରେ ତ୍ରିପୁରା ୨ ଉଇକେଟ୍‌ରେ ଜମ୍ମୁ ଓ କଶ୍ମୀରଙ୍କୁ ପରାସ୍ତ କରିଛି। ଜମ୍ମୁ ଓ କଶ୍ମୀର ପକ୍ଷରୁ ଧାର୍ଯ୍ୟ ୧୯୮ ରନର ଲକ୍ଷ୍ୟକୁ ତ୍ରିପୁରା ଓପନର୍‌ ବିଶାଳ ଘୋଷ (୬୨) ଓ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମିଲିନ୍ଦ କୁମାର (୭୭)ଙ୍କ ଅର୍ଦ୍ଧଶତକ ବଳରେ ୪୪.୧ ଓଭରରେ ୮ ଉଇକେଟ୍‌ ହରାଇ ହାସଲ କରିନେଇଥିଲା। ଅପରପକ୍ଷରେ ଏହି ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଗୁଜରାଟ ୩୮ ରନରେ ବେଙ୍ଗଲକୁ ହରାଇ ୪ ପଏଣ୍ଟ ହାତେଇ ନେଇଛି।

Share