Categories: ଖେଳ

ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଓଡ଼ିଶା ସୋମବାର ଭଦୋଦରାରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚରେ ମହାରାଷ୍ଟ୍ରକୁ ୩ ଉଇକେଟରେ ପରାସ୍ତ କରିଛି। ମହାରାଷ୍ଟ୍ର ପକ୍ଷରୁ ଧାର୍ଯ୍ୟ ୨୬୦ ରନ ବିଜୟ ଲକ୍ଷ୍ୟକୁ ଓଡ଼ିଶା ୪୯.୧ ଓଭରରେ ୭ ଉଇକେଟ ହରାଇ ହାସଲ କରି ନେଇଥିଲା। ଟୁର୍ନାମେଣ୍ଟରେ ଏହାଥିଲା ଓଡ଼ିଶାର ଦ୍ୱିତୀୟ ବିଜୟ। ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଥିବା ଦଳ ଏବେ ମୋଟ ୧୪ ପଏଣ୍ଟ ସହ ଗ୍ରୁପ୍‌ ବି’ର ୬ଷ୍ଠ ସ୍ଥାନରେ ରହିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହାରାଷ୍ଟ୍ର ଅଧିନାୟକ କେଦାର ଯାଦବ ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ବଳରେ ୫୦ ଓଭରରେ ୮ ଉଇକେଟ ହରାଇ ୨୫୯ ରନ୍‌ କରିଥିଲା। ଦଳ ପକ୍ଷରୁ ରାହୁଲ ସର୍ବାଧିକ ୬୯, ଅଧିନାୟକ କେଦାର ୬୨, ଋତୁରାଜ ଗାଏକ୍ୱାଡ ୩୯ ଓ ନୌଶାଦ ଶେଖ ୩୧ ରନ୍‌ କରିଥିଲେ। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ୯ ଓଭର ବୋଲିଂ କରି ୫୦ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ ଲେଖାଏ ଉଇକେଟ ଅକ୍ତିଆର କରିଥିବାବେଳେ ଦୀପକ ବେହେରା ଗୋଟିଏ ସଫଳତା ପାଇଥିଲେ। ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଓଡ଼ିଶା ପକ୍ଷରୁ ଅଧିନାୟକ ଇନିଂସ ଖେଳିଥିଲେ ଶୁଭ୍ରାଂଶୁ ସେନାପତି। ସେ ୧୩୦ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୨ ଛକା ସହାୟତାରେ ୧୧୯ ରନକରି ଅପରାଜିତ ରହିଥିଲେ। । ତାଙ୍କୁ ସନ୍ଦୀପ ପଟ୍ଟନାୟକ (୨୭), ଅଭିଷେକ ଯାଦବ (୧୭), ଅଭିଷେକ ରାଉତ (୨୪), ସୁଜିତ ଲେଙ୍କା (୨୬), ଦୀପକ ବେହେରା (୧୮ ରନ) ଉପଯୁକ୍ତ ସହାୟତା କରିଥିଲେ। ମହାରାଷ୍ଟ୍ର ପକ୍ଷରୁ ଆଜିମ କାଜି ୨ଟି ଏବଂ ସମଦ ଫଲ୍ଲା, ମୁକେଶ ଚୌଧାରୀ, ସତ୍ୟଜିତ ବଚ୍ଚାଭ ଓ କେଦାର ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମହାରାଷ୍ଟ୍ର ୫୦ ଓଭରରେ ୨୫୮/୮(ରାହୁଲ-୬୯, କେଦାର-୬୨, ଋତୁରାଜ-୩୯, ନୌସାଦ-୩୧, ସୂର୍ଯ୍ୟକାନ୍ତ-୩/୫୦, ଅଭିଷେକ-୨/୪୧, ଗୋବିନ୍ଦ-୨/୫୫, ଦୀପକ-୧/୩୫)। ଓଡ଼ିଶା ୪୯.୧ ଓଭରରେ ୨୬୦/୭(ଶୁଭ୍ରାଂଶୁ-୧୧୯, ସନ୍ଦିପ-୨୭, ସୁଜିତ-୨୬, ଆଜିମ-୨/୪୫)।

Share