Categories: ଖେଳ

ବିଜୟ ହଜାରେ ଟ୍ରଫି: ସଞ୍ଜୁ ସାମସନଙ୍କ ଦ୍ୱିଶତକ

ଅଲୁର,୧୩।୧୦- ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଦିନିକିଆ ଟୁର୍ନାମେଣ୍ଟରେ ଗୋଆ ବିପକ୍ଷ ମ୍ୟାଚ୍‌ରେ କେରଳର ସଞ୍ଜୁ ସାମସନ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୨୯ ବଲର ସମ୍ମୁଖୀନ ହୋଇ ୨୧୨ ରନ୍‌ କରିଛନ୍ତି। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୨୧ ଚୌକା ଓ ୧୦ ଛକା ରହିଛି। ଏହା ପ୍ରଥମ ଶ୍ରେଣୀ କ୍ରିକେଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଲାଗି ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଉଇକେଟକିପର ବ୍ୟାଟ୍ସମ୍ୟାନ ପ୍ରଥମ ଶତକକୁ ଦ୍ୱିଶତକରେ ପରିଣତ କରିଛନ୍ତି। ସେ ଉତ୍ତରାଖଣ୍ଡର କର୍ନ କୌଶାଲ(୨୦୨)ଙ୍କୁ ପଛରେ ପକାଇ ଦେଇଛନ୍ତି। ଏଭଳି ଇନିଂସ ଯୋଗୁ କେରଳ ଧାର୍ଯ୍ୟ ୫୦ ଓଭରରେ ୩ ଉଇକେଟ ହରାଇ ୩୭୭ ରନ୍‌ କରିଛି। ଜବାବରେ ଗୋଆ ଶେଷ ପର୍ଯ୍ୟନ୍ତ ଖେଳି ୮ ଉଇକେଟ ହରାଇ ୨୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ କେରଳ ୧୦୪ ରନ୍‌ରେ ମ୍ୟାଚ୍‌କୁ ଜିତି ନେଇଛି। ସାମସନଙ୍କ ବ୍ୟତୀତ ସଚିନ ବେବି ୧୨୭ ରନ୍‌ କରିଛନ୍ତି। ସାମସନ ଓ ସଚିନ ତୃତୀୟ ଉଇକେଟ ପାଇଁ ୩୩୮ ରନ୍‌ର ରେକର୍ଡ ଭାଗୀଦାରି କରିଥିଲେ। ଏହା ଦେଶର ପ୍ରଥମ ଶ୍ରେଣୀ କ୍ରିକେଟରେ ଯେକୌଣସି ଉଇକେଟ ପାଇଁ ସର୍ବାଧିକ ଭାଗୀଦାରି। ସଞ୍ଜୁଙ୍କ ୨୧୨ ରନ୍‌ର ଇନିଂସ ବିଶ୍ୱର ପ୍ରଥମ ଶ୍ରେଣୀ କ୍ରିକେଟରରେ ଜଣେ ଉଇକେଟକିପରଙ୍କ ଦ୍ୱାରା ସର୍ବାଧିକ ସ୍କୋର। ପାକିସ୍ତାନର ଆବିଦ ଅଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଇସଲାମାବାଦ ବିପକ୍ଷରେ ପେଶଓ୍ବାର ପକ୍ଷରୁ ଖେଳି ୨୦୯ ରନ୍‌ କରିଥିଲେ। ସାମସନ ଦେଶର ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ଦ୍ୱିଶତକ ଲଗାଇଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ରୋହିତ ଶର୍ମା(ସମସ୍ତେ ଦିନିକିଆରେ), ଶିଖର ଧାଓ୍ବନ ଓ କର୍ନ କୌଶାଲ ରହିଛନ୍ତି।

Share