Categories: ଖେଳ

ବିଜୟ ହଜାରେ ଟ୍ରଫି : ହରିୟାଣାଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୫ା୧୦- ଭଦୋଦରାର ଏସ୍‌ଜିଏସ୍‌ଏ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓଡ଼ିଶା ୪ ଉଇକେଟରେ ହରିୟାଣାଠାରୁ ପରାସ୍ତ ହୋଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ ଉଇକେଟ ବିନିମୟରେ ୨୦୭ରନ କରିଥିଲା। ଜବାବରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ ହରିୟାଣା ୬ଷ୍ଠ ଉଇକେଟରେ ଦୃଢ଼ ଭାଗିଦାରୀ ଯୋଗୁ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଓଡ଼ିଶା ୪ଟି ମ୍ୟାଚ୍‌ ଖେଳିସାରିଥିବା ବେଳେ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସମେତ ୨ଟି ମ୍ୟାଚ୍‌ ବାତିଲ ଯୋଗୁଁ ମୋଟ ୮ ପଏଣ୍ଟ ସଂଗ୍ରହ କରି ଟେବୁଲର ୭ମ ସ୍ଥାନରେ ରହିଛି। ୭ ତାରିଖରେ ଓଡ଼ିଶା ମହାରାଷ୍ଟ୍ରକୁ ଭେଟିବ।
ବର୍ଷା ଯୋଗୁଁ ମ୍ୟାଚକୁ ୪୬ ଓଭର ବିଶିଷ୍ଟ କରାଯାଇଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର ସନ୍ଦୀପ ପଟ୍ଟନାୟକ ଓ ସ୍ବସ୍ତିକ ସାମଲ ପ୍ରଥମ ଉଇକେଟ ଯୋଡ଼ିରେ ୨୩ରନ ସଂଗ୍ରହ କରିବା ପରେ ସ୍ବସ୍ତିକ ୧୨ରନରେ ଆଉଟ ହୋଇଥିଲେ। ପରେ ଅଧିନାୟକ ଶୁଭ୍ରାଂଶୁ ମଧ୍ୟ ୩ରନ ସଂଗ୍ରହ କରି କ୍ରିଜ ଛାଡ଼ିଥିଲେ। ବ୍ୟାଟିଂ କ୍ରମ ୪ନଂରେ କ୍ରିଜକୁ ଆସିଥିବା ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୬୪ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ଯୋଗୁଁ ଦଳ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳିଥିଲା। ଓପନର ସନ୍ଦୀପ ୪୪, ଉଇକେଟ କିପର ସୁଜିତ ଲେଙ୍କା ୩୪, ପପୁ ରାୟ ୧୧ରନ କରିଥିବା ବେଳେ ଅନ୍ୟ କେହି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଓଡ଼ିଶା ୯ ଉଇକେଟ ହରାଇ ୨୦୭ରନ କରିଥିଲା । ହରିୟାଣାର ହର୍ଷଲ ପଟେଲ ଓ ସୁମିତ କୁମାର ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ । ୨୦୮ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ହରିୟାଣା ୨୮ରନରେ ପ୍ରଥମ ଉଇକେଟ ହରାଇଥିଲା। ଏହା ପରେ ୭୮ରନରେ ୫ଟି ଉଇକେଟ ହରାଇ ଦଳ ସଙ୍କଟରେ ପଡ଼ିଥିଲା। ଓଡ଼ିଶାର ପେସ ବୋଲରମାନେ ଭଲ ବୋଲିଂ କରିଥିଲେ। ରାଜେଶ ମହାନ୍ତି ଓ ଦୀପକ ବେହେରା ୨ଟି ଲେଖାଏ ଉଇକେଟ ଦଖଲ କରିଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଗୋଟିଏ ଉଇକେଟ ମିଳିଥିଲା। ଓପନର ନୀତୀନ ସଇନି ୪୪ରନର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ। ହରିୟାଣା ଅଲରାଉଣ୍ଡର ଜୟନ୍ତ ଯାଦବ(୬୭ରନ) ଓ ସୁମିତ କୁମାର(୬୪ରନ) ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ।

Share