Categories: ଗଞ୍ଜାମ

ବିଟେକ୍‌ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏସ୍‌ପିଙ୍କୁ ଭେଟି ତଦନ୍ତ ଦାବି କଲେ ମା’,ବାପା

ଛତ୍ରପୁର,୧୬ା୧୧(ଡି.ଏନ.ଏ) -ବ୍ରହ୍ମପୁର ରାମହରିନଗରର ରବୀନ୍ଦ୍ର ନାଥ ମିଶ୍ରଙ୍କ ପୁଅ ହ୍ରିତିକଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ଚମାଖଣ୍ଡି ପୋଲିସ କହିଛି। ମାତ୍ର ହ୍ରିତିକଙ୍କ ମା’, ବାପା ଏଥିରେ ସନ୍ଦେହ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ହ୍ରିତିକଙ୍କ ବାପା ରବୀନ୍ଦ୍ର ଓ ମା’ ରଞ୍ଜନା ଶୁକ୍ରବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏଙ୍କୁ ଭେଟି ଏ ନେଇ ଲିଖିତ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ଅନୁରୋଧ କରିଥିଲେ ା ଏହାର ତଦନ୍ତ ପାଇଁ ଛତ୍ରପୁର ଏସଡିପିଓଙ୍କୁ ଏସ୍‌ପି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ା
ପ୍ରକାଶ ଯେ, ହ୍ରିତିକ ବ୍ରହ୍ମପୁରର ନିଷ୍ଟ୍‌ରେ ବିଟେକ୍‌ (କମ୍ପ୍ୟୁଟର ସାଇନ୍ସ)ର ଶେଷବର୍ଷ ଛାତ୍ର ଥିଲେ। ଫେବୃୟାରୀ ୪ତାରିଖରେ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସହ ବାଇକ୍‌ରେ ସେ ଛତ୍ରପୁର ଆସୁଥିଲେ। ରାତି ପର୍ଯ୍ୟନ୍ତ ହ୍ରିତିକ ଘରକୁ ନ ଫେରିବାରୁ ପରିବାରବର୍ଗ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ ା ହ୍ରିତିକଙ୍କ ଅଚେତ୍‌ ହୋଇ ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ ଫାଟକ ଆଗରେ ପଡିଛନ୍ତି ବୋଲି କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ଫୋନ୍‌ ରିସିଭ କରି ପରିବାର ଲୋକଙ୍କୁ କହିଥିଲେ ା ଆମ୍ବୁଲାନ୍ସ ଯୋଗେ ପୋଲିସ ହ୍ରିତକଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ନେଇଥିଲା ା ସେଠାରେ ଉପସ୍ଥିତ ଥିବା ସମ୍ପୃକ୍ତ ପୂର୍ବତନ ଛାତ୍ରଙ୍କୁ ପରିବାରବର୍ଗ ପଚାରିବାରେ ଟ୍ରକ୍‌କୁ ଓଭରଟେକ କରିବାରୁ ଦୁର୍ଘଟଣା ଘଟିଥିଲା ଏବଂ ସେ ନିଜେ ବାଇକ ଚଳାଉଥିଲେ ବୋଲି କହିଥିଲେ ା ତେବେ ତାଙ୍କର ସେପରି କିଛି କ୍ଷତ ଚିହ୍ନ ନଥିବାରୁ ପରିବାରବର୍ଗ ସନ୍ଦେହ କରିଥିଲେ ା ପରେ ଅଧିକ ଚିକିସତ୍ା ପାଇଁ ର୍‌ ହ୍ରିତିକଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତ କରାଯାଇଥିଲା। ୧୪ ଦିନ ପରେ ଫେବୃୟାରୀ ୧୭ରେ ହ୍ରିତିକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ା ପରେ ୨୪ ତାରିଖରେ ଉକ୍ତ ପୂର୍ବତନ ଛାତ୍ରଙ୍କ ଉପରେ ସନ୍ଦେହ ଦର୍ଶାଇ ତଦନ୍ତ କରିବାକୁ ହ୍ରିତିକଙ୍କ ବାପା ରବୀନ୍ଦ୍ରଙ୍କ ପକ୍ଷରୁ ଚମାଖଣ୍ଡି ଥାନାରେ ଏତଲା ଦିଆଯାଇଥିଲା। ଏହାକୁ ଭିତ୍ତିକରି ଏକ ମାମଲା (ନଂ.୩୩/୧୯) ରୁଜୁ ହୋଇଥିଲା ା ତେବେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାରୁ ମା’ ବାପା ଛତ୍ରପୁର ଆସି ଏସପିଙ୍କୁ ଭେଟିଥିଲେ ା